ବ୍ରଜରାଜନଗର: ଗତ ୧୦ ତାରିଖ ମଧ୍ୟାହ୍ନରେ ଓରିଏଣ୍ଟ ଥାନା ମଣ୍ଡଳିଆ କଲ୍ୟାଣ ମଣ୍ଡପ ନିକଟ ଜଙ୍ଗଲରୁ ମିଳିଥିବା କ୍ଷତବିକ୍ଷତ ଶବର ପରିଚୟ ମିଳିଛି। ମୃତ ଯୁବକଙ୍କ ନାମ ସଦାନନ୍ଦ ଯାଦବ (୩୪) ବୋଲି ଓରିଏଣ୍ଟ ଥାନା ଆଇଆଇସି ସାରଂଗ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ ଝାରସୁଗୁଡ଼ା କବରସ୍ଥାନ ପଡ଼ା ପାଉଁରୁଟି ଫ୍ୟାକ୍ଟି୍ର ନିକଟରେ ଭଡ଼ା ଘରେ ରହୁଥିଲେ। ସଦାନନ୍ଦର ମୂଳ ଘର ବିହାର ମୁଂଗେର ଜିଲ୍ଲାର ଦରିଆପୁର ଗାଁରେ। ୮ ତାରିଖ ରାତିରେ ଡ୍ୟୁଟି କରିବାକୁ ଯାଇ ଆଉ ଘରକୁ ଫେରି ନଥିବା ସ୍ତ୍ରୀ ଲଳିତା ଦେବୀ ପ୍ରକାଶ କରିଛନ୍ତି। ଶବ ଚିହ୍ନଟ ହେଲା ପରେ ପରିବାର ବର୍ଗଙ୍କୁ ପୁଲିସ ହସ୍ତାନ୍ତର କରିଛି। କେହି ଅପରାଧୀ ସଦାନନ୍ଦଙ୍କ ଗଳା କାଟି ପରିଚୟ ନଷ୍ଟ କରିବା ପାଇଁ ମୁହଁକୁ ପଥରରେ ଛେଚି ହତ୍ୟା କରିବା ସହ ଜଙ୍ଗଲରେ ପକାଇ ଚାଲି ଯାଇଥିବା ସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ସଦାନନ୍ଦ ଡ୍ୟୁଟିରୁ ବାହାରିଥିବା ବେଳେ ତା’ର ଶବ ଓରିଏଣ୍ଟ ଥାନାଂଚଳକୁ କିପରି ଆସିଲା? ସଂଧାନୀ କୁକୁର ନିକଟରେ ଥିବା ବନଦୁର୍ଗା ମନ୍ଦିର ପର୍ଯ୍ୟନ୍ତ କାହିଁକି ଯାଇଥିଲା? ଓରିଏଣ୍ଟ ଆଇଆଇସି ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଘଟଣା ପଛରେ ସବୁକିଛି ସଂଦିଗ୍ଧ କାରଣକୁ ପୁଲିସ ଅନୁସଂଧାନ କରୁଛି। ହତ୍ୟାକାଣ୍ଡ ପଛରେ କାରଣ ଏବେ ଅସ୍ପଷ୍ଟ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us