ଝାରସୁଗୁଡ଼ା-ଦିଲ୍ଲୀ ସ୍ପାଇସ୍‌ଜେଟ୍‌ ବିମାନର ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଝାରସୁଗୁଡ଼ାକୁ ଅଧିକ ବିମାନ ଚଳାଚଳ କର

ଝାରସୁଗୁଡ଼ା: ଝାରସୁଗୁଡ଼ା-ଦିଲ୍ଲୀ ସ୍ପାଇସ୍‌ଜେଟ୍‌ର ବିମାନକୁ ନେଇ ବଢୁଛି ଅସନ୍ତୋଷ। ପ୍ରତ୍ୟହ ଏହି ବିମାନ ଚଳାଚଳରେ ଘଣ୍ଟା ଘଣ୍ଟା ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଏହି ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଦିଲ୍ଲୀରୁ ଦିନ ୧୨ଟା ୨୦ରେ ବାହାରିବାକୁ ଥିବା ବିମାନକୁ ବିଳମ୍ବ କରାଯାଇ ଶେଷରେ ରାତି ୯ଟାରେ ବାତିଲ୍‌ ଘୋଷଣ‌ା କରାଗଲା। ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନ ବାତିଲ୍‌ ପରେ ବି ୧୬୯ ଜଣ ଯାତ୍ରୀଙ୍କ ରହିବା, ଖାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା। ଯାହାକୁ ନେଇ ଯାତ୍ରୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସ୍ପାଇସ୍‌ଜେଟ୍‌ ଉପରେ ଆଉ ଭରସା କରିହେବନି ବୋଲି ଲୋକେ ଟ୍ବିଟ୍‌ କରୁଛନ୍ତି। ଏ ନେଇ ଝାରସୁଗୁଡ଼ା ବିମାନବନ୍ଦରରେ ଥିବା ସ୍ପାଇସଜେଟ୍‌ର ଷ୍ଟେସନ ମ୍ୟାନେଜର ସମୀର ବାରିକଙ୍କୁ ପଚାରିବାରେ, ଗତକାଲି ଯାନ୍ତ୍ରିକ ସମସ୍ୟା ଯୋଗୁ ଏଭଳି ହୋଇଥିଲା। ତେବେ ଯେଉଁ ଯାତ୍ରୀମ‌ାନେ ଖର୍ଚ୍ଚ କ୍ଲେମ୍‌ କରୁଛନ୍ତି ସେମାନଙ୍କୁ ଏୟାରଲାଇନ୍ସ ପକ୍ଷରୁ ତାହା ପ୍ରଦାନ କରାଯାଉଛି। ସ୍ପାଇସ୍‌ଜେଟ୍‌ ପାଖରେ ଅତିରିକ୍ତ ବିମାନ ନଥିବାରୁ ଗତକାଲି ଉକ୍ତ ବିମାନ ସ୍ଥାନରେ ଅନ୍ୟ ବିମାନ ଦିଆଯାଇ ପାରିନଥିଲା ବୋଲି କହିଛନ୍ତି।

ସେପଟେ,  ଦିଲ୍ଲୀରୁ ଝାରସୁଗୁଡ଼ା ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ଗତକାଲିର ବିମାନରେ ଅଣାଯାଇଥିବା ସୂଚନ‌ା ମିଳିଛି। ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ରୁଟ୍‌ରେ କେବଳ ସ୍ପାଇସ୍‌ଜେଟ୍‌ ହିଁ ଚଳାଚଳ କରୁଛି। ଫଳରେ ଏକମାତ୍ର ଏହି ୧୮୯ ସିଟ୍‌ ବିଶିଷ୍ଟ ବୋଇଂ ବିମାନ ଉପରେ ସମସ୍ତ ଯାତ୍ରୀ ନିର୍ଭର କରୁଛନ୍ତି। ଏହି ବିମାନ ଦିଲ୍ଲୀରୁ ଦିନ ୧୨ଟା ୨୦ରେ ବାହାରି ଝାରସୁଗୁଡ଼ାରେ ଦିନ ୨ଟା ୨୦ରେ ପହଞ୍ଚିଥାଏ। ଏଠାରୁ ପୁଣି ଦିନ ୩ଟାରେ ବାହାରି ଦିଲ୍ଲୀରେ ୪ଟା ୫୫ରେ ଅବତରଣ କରିଥାଏ। ମାତ୍ର ଚଳିତ ୱିଣ୍ଟର ସିଡ୍ୟୁଲ୍‌ରୁ ଏହି ବିମାନ ଦୈନିକ ବିଳମ୍ବରେ ଚାଲିଛି। ସୂଚନା ଅନୁସାରେ, ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌ରେ ଚଳାଚଳ କରୁଥିବା ଏହି ବୋଇଂ ବିମାନ ସକାଳୁ ଦିଲ୍ଲୀ ବିମାନବନ୍ଦରରୁ ଲେହ ଲଦାଖକୁ ଯାଉଛି। ସେଠାରୁ ଦିଲ୍ଲୀ ଫେରିବା ପରେ ପୁଣି ମୁମ୍ବାଇ ଯାଉଛି। ମୁମ୍ବାଇରୁ ଦିଲ୍ଲୀ ଫେରିବା ପରେ ଯାଇ ଝାରସୁଗୁଡ଼ା ଅଭିମୁଖେ ବାହାରୁଛି। ଯାହା କି ଦୈନିକ ବିମାନ ବିଳମ୍ବିତ ହେବାର ପ୍ରମୁଖ କାରଣ ବୋଲି କହାଯାଉଛି। କିନ୍ତୁ ଦୈନିକ ଅନ୍ୟୁନ ୬ଟି ଡିପାର୍‌ଚର୍‌ ନହେଲେ ବୋଇଂ ବିମାନ ଚଳାଇବା ସମ୍ଭବ ହେଉନଥିବା ସ୍ପାଇସଜେଟ୍‌ ପକ୍ଷରୁ କହାଯାଇଛି।

ଚଳିତ ୱିଣ୍ଟର ସିଡ୍ୟୁଲରୁ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସଜେଟ୍‌ର ବୋମ୍ବାର୍ଡିଅର୍‌ ଏୟାରକ୍ରାଫ୍ଟ ଉଡ଼ାଣ କରିବା ନେଇ ଅନୁମତି ମିଳିସାରିଛି। କିନ୍ତୁ ସ୍ପାଇସ୍‌ଜେଟ୍‌ ଏହି ରୁଟ୍‌ରେ କେବେଠୁ ବିମାନ ଚଳାଇବ ସେ ନେଇ ଘୋଷଣା କରିନାହିଁ। ସୂଚନା ମୁତାବକ ଚଳିତ ୱିଣ୍ଟର ସିଡ୍ୟୁଲ୍‌ ପୂର୍ବରୁ ସ୍ପାଇସଜେଟ୍‌ ନିକଟରେ ମୋଟ ୨୫ଟି ବୋମ୍ବାର୍ଡିଅର୍‌ ଏୟାରକ୍ରାଫ୍ଟ ରହିଥିଲା। ସେଥିରୁ ଏବେ ୭ଟି ବିମାନ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ସେହିପରି ବୋଇଂ ବିମାନ ସଂଖ୍ୟା ମଧ୍ୟ ୪୦ରୁ ୨୧କୁ ଖସିଆସିଛି। ସୀମିତ ଏୟାରକ୍ରାଫ୍ଟ ଯୋଗୁ ସ୍ପାଇସଜେଟ୍‌ ଏହି ୨ଟି ନୂଆ ରୁଟ୍‌ରେ ଚଳାଚଳ ଆରମ୍ଭ କରିପାରୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe