ଗାଁରେ ପଶିଲା ଦନ୍ତା : ବୃଦ୍ଧଙ୍କୁ ଦଳି ମାରିଦେଲା, ଦୁଇ ଗୁରୁତର 

ଗାଁରେ ପଶିଲା ଦନ୍ତା : ବୃଦ୍ଧଙ୍କୁ ଦଳି ମାରିଦେଲା, ଦୁଇ ଗୁରୁତର 

Herd of bush elephants, in Amboseli national park, south Kenya.

ରାସୋଳ: ଥମୁନି ହାତୀ ଆତଙ୍କ। ପହିଲି ରଜରେ ଆଜି ପିଲାମାନେ ‘ବନସ୍ତେ ଡାକିଲା ଗଜ’ ଗୀତ ଗାଇ ଦୋଳି ଖେଳରେ ମାତିଥିବାବେଳେ ଏକ ଗୋଠଛଡ଼ା ଦନ୍ତାହାତୀ ହିନ୍ଦୋଳ ବନାଞ୍ଚଳ ରାସୋଳ ଅଞ୍ଚଳରେ ପଶି ଅଂଚଳବାସୀଙ୍କ ରଜ ମଉଜକୁ ଫିକା କରିଦେଇଛି। ଏହି ଦନ୍ତା ହାବୁଡ଼ରେ ପଡ଼ି ରାସୋଳ ଥାନା ଶରଧାପୁରର ଜଣେ ବୃଦ୍ଧ ପ୍ରାଣ ହରାଇଥିବା ବେଳେ କଳିଙ୍ଗା ଓ ବାଙ୍କଟିଆ ଗାଁର ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଠଛଡ଼ା ଦନ୍ତାହାତୀର ଏହି ଆତଙ୍କରାଜ ଯୋଗୁ ଲୋକମାନେ ସଂଧ୍ୟା ପୂର୍ବରୁ ତାଟିକବାଟ ପକାଇ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁଯାୟୀ, କିଛିଦିନ ହେଲା ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଆଜି ସକାଳେ ଶରଧାପୁର ଗାଁର ପ୍ରସନ୍ନ ବେହେରା (୬୦) ଗାଁ ମୁଣ୍ଡ ପୋଖରୀରେ ଶୌଚ ହୋଇ ଘରକୁ ଫେରୁଥିଲେ। ଅତର୍କିତ ଭାବେ ଗୋଠଛଡ଼ା ଦନ୍ତା ମାଡ଼ିଆସି ତାଙ୍କୁ ତଳେ କଚାଡ଼ି ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେଠାରୁ ହାତୀ କଳିଙ୍ଗା ଆଡ଼କୁ ମୁହାଁଇଥିଲା। ପ୍ରାତଃ ଭ୍ରମଣରୁ ଫେରୁଥିବା କଳିଙ୍ଗା ଗାଁର ସୁରେଶ ଚନ୍ଦ୍ର ପାଳ(୭୫)ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି। ଏହାପରେ ଦନ୍ତା ବନ୍ଧାନାଳୀ ଗାଁରେ ଦୁଇଟି କ୍ୟାବିନ୍‌, ବାଙ୍କଟିଆରେ ଗୋଟିଏ ଟ୍ରାକ୍ଟର ଓଲଟାଇ ଦେଇଛି। ବାଙ୍କଟିଆ ଗାଁ ରଗୁଡ଼ିସାହିର ବିକ୍ରମ ନାଏକ(୫୦)ଙ୍କୁ ଆକ୍ରମଣ କରିବାରୁ ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ପ୍ରସନ୍ନଙ୍କ ପରିବାରକୁ ରାସୋଳ ବନପାଳ ସୁଦର୍ଶନ ଦେହୁରୀ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ଦେଇଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଯୋଗ୍ୟ, ବଣୁଆ ହାତୀଙ୍କ ଦାଉରୁ ଧନ ଜୀବନ ରକ୍ଷା କରିବାରେ ବନ ବିଭାଗ ବିଫଳ ହୋଇଛି। ଗତ ୩୦ ତାରିଖରେ ବ୍ରହ୍ମପୁର ଗାଁର ବଟକୃଷ୍ଣ ନାଏକଙ୍କୁ ଏକ ଦନ୍ତାହାତୀ ଦଳି ମାରିଦେଇଥିବା ବେଳେ ଗତ ୧୧ ତାରିଖ ରାତିରେ ହାତୀପଲ ଗିରିଧରପ୍ରସାଦ ଗାଁର ଦଣ୍ଡଧର ସାମଲଙ୍କ ଘର ଭାଙ୍ଗି ଦେଇଥିଲେ। ଦଣ୍ଡଧରଙ୍କ ପରିବାର ଅଳ୍ପକେ ରକ୍ଷା ପାଇଥିଲେ। ଆଜି ଉତ୍ପାତ କରିଥିବା ହାତୀ ବୁହାଳିପାଳ ଗାଁ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛିି। ତାକୁ ହାତୀପଲ ସହ ମିଶାଇବାକୁ ଉଦ୍ୟମ କରାଯିବ ବୋଲି ବନପାଳ ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି। ଏବେ ବମ୍ପା, ବାବନ୍ଧ ଅଞ୍ଚଳରେ ପ୍ରାୟ ୫୦ ହାତୀ ଅଛନ୍ତି। ତେଣୁ ରାତି ବା ଭୋରରେ ଆମ୍ବ ତୋଟାକୁ ନଯିବା ପାଇଁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe