‘ବାପା ତମେ ନାହିଁ ତ ‌‌ମୋ ମାର୍କର ମୂଲ୍ୟ ନାହିଁ’: ମାଟ୍ରିକ ପରୀକ୍ଷାରେ ଝିଅର ରେକର୍ଡ, କରେନାରେ ଚାଲି ଯାଇଛନ୍ତି ବାପା

‘ବାପା ତମେ ନାହିଁ ତ ‌‌ମୋ ମାର୍କର ମୂଲ୍ୟ ନାହିଁ’: ମାଟ୍ରିକ ପରୀକ୍ଷାରେ ଝିଅର ରେକର୍ଡ, କରେନାରେ ଚାଲି ଯାଇଛନ୍ତି ବାପା

ଝାରସୁଗୁଡ଼ା: ବାପା ! ଦରକାର ନାହିଁ ମୋର ଡାକ୍ତର ହେବା, ଦରକାର ନାହିଁ ବଡ ମଣିଷ ହେବା… ଏତେ ମାର୍କ ରଖି ଲାଭ କଣ ? ଏତେ ଭଲ ରେଜଲ୍ଟ ରହି କି ଫାଇଦା? ଏ ଜୀବନର ମୂଲ୍ୟ କଣ ବାପା ? ଯେଉଁ ଜୀବନରେ ତୁମେ ନାହଁ… ଏ ଖୁସିର ମାନେ କଣ ବାପା ଯେଉଁ ଖୁସିରେ ସାମିଲ ହେବାକୁ ଆଜି ତମେ ନାହଁ… ? କାହିଁକି ଠକି ଦେଲ ବାପା, ତମେ କୁଆଡେ ଚାଲିଗଲ… ?? ଦେଖ ତମ ଝିଅ ଆଜି ମାଟ୍ରିକରେ ଜିଲ୍ଲାରେ ରେକର୍ଡ କରିଛି… ହେଲେ ସେ ଖୁସି ଖବର ଶୁଣିବାକୁ ଆଜି ତମେ ନାହଁ… ଧିକ୍ ଏ ସଫଳତା ବାପା ଧିକ୍…।

ମାଟ୍ରିକ ପରୀକ୍ଷାର ରେଜଲ୍ଟ ସିନା ଝିଅ ମନରେ ଖୁସି ଭରି ଦେଇଛି । ହେଲେ ଯେଉଁ ପରିଶ୍ରମ କରି, ଯେଉଁ କସରତ କରି ଝିଅ ଆଜି ସଫଳତା ପାଇଛି । ଭଲ ରେଜଲ୍ଟ କରିଛି, ସେ ଖୁସି ଖବର ଶୁଣିବାକୁ ଆଜି ତା ପାଖରେ ତା ବାପା ନାହାନ୍ତି । ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ହିଁ ମହାମାରୀ କରୋନା ତା ବାପାଙ୍କୁ ଛଡାଇ ନେଇଛି । ମେ ପହିଲାରେ ବାପା କରୋନାରେ ପ୍ରାଣ ହରାଇଥିବା ବେଳେ ଜୁନରେ ଝିଅ ଦଶମରେ ୫୫୨ ନମ୍ବର ରଖି ଜିଲ୍ଲାରେ ୩ୟ ସ୍ଥାନ ଅଧିକାର କରିଛି। ହେଲେ ତା ଖୁସି ଦେଖିବାକୁ ବାପା ନଥିବାରୁ ମନମାରି ବସିଛି ଝିଅ ପ୍ରତିଭା  ।

ଝାରସୁଗୁଡା ଜିଲ୍ଲା ଅତାବିରା ପଞ୍ଚାୟତ କଣ୍ଟାପାଲି ଗାଁର ପ୍ରତିଭା ପ୍ରଧାନ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୫୨ ମାର୍କ ରଖି ସାରା ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପ୍ରତିଭାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଗୋଟିଏ ମାସ ତଳେ କରୋନାରେ ପ୍ରତିଭା ବାପାଙ୍କୁ ହରାଇଥିବା ବେଳେ ସେହି ଦୁଃଖ ଭିତରେ ନିଜ କ୍ୟାରିଅରର ପ୍ରଥମ ଖୁସିକୁ ଉପଭୋଗ କରିପାରି ନାହାନ୍ତି ପ୍ରତିଭା ।

ବାପା ଥିଲେ ବୋଲି ତ ତାଙ୍କ ପ୍ରେରଣାରେ ପାଠ ପଢୁଥିଲେ ପ୍ରତିଭା । ରାତି ଅନିଦ୍ରା ହୋଇ ବାପାଙ୍କ ସ୍ୱପ୍ନକୁ ପୂରଣ କରିବାକୁ କସରତ କରୁଥିଲେ । ଆଉ ତାଙ୍କରି ଇଚ୍ଛାରେ ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ । ବାପା ସବୁବେଳେ ଡାକ୍ତର ହେବାକୁ ତାଙ୍କ କାନେ କାନେ କୁହନ୍ତି । ରୋଗୀ ସେବା କରିବାକୁ ପ୍ରୋତ୍ସାହନା ଦିଅନ୍ତି । ବାପା କହିଥିଲେ, ମାଟ୍ରିକରେ ଭଲ ମାର୍କ ରଖିଲେ ଭଲ କଲେଜରେ ପଢେଇବେ । ହେଲେ ଏବେ ଭଲ କଲେଜରେ ପଢିବାର ସେ ଆଶା ମିଳେଇଯାଇଛି ଏ ମେଧାବୀ ଛାତ୍ରୀଙ୍କର…

ଅନ୍ୟପଟେ କରୋନା ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ଛଡାଇ ନେବାପରେ ଭାଙ୍ଗି ପଡିଛନ୍ତି ସମସ୍ତେ । ପୁଅକୁ ହରାଇଛନ୍ତି ବୁଢାବାପାମାଆ, ସ୍ତ୍ରୀ ପିଲାଛୁଆ । ସେପଟେ ଆଶୀର୍ବାଦ ଯୋଜନାରେ ପ୍ରତିଭାଙ୍କୁ ସାମିଲ ପାଇଁ ମିଳିଛି ପ୍ରତିଶ୍ରୁତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe