ସମଲେଶ୍ୱରୀ ଖୋଲାମୁହଁ ଖଣିରେ ନିଅାଁ

ସମଲେଶ୍ୱରୀ ଖୋଲାମୁହଁ ଖଣିରେ ନିଅାଁ

ବ୍ରଜରାଜନଗର: ଏମସିଏଲ ପରିଚାଳିତ ଇବଭ୍ୟାଲି ଖଣିକ୍ଷେତ୍ରର ସମଲେଶ୍ୱରୀ କୋଇଲା ଖଣିରେ ନିଅାଁ ଲାଗିଛି। ଏବେ ବର୍ଷା ପାଗରେ ଗଚ୍ଛିତ ରଖାଯାଇଥିବା କୋଇଲା ଜଳୁଥିବା ଦେଖାଯାଇଛି। କୋଇଲା ଗଦାରେ ହୁ ହୁ ନିଅାଁ ଜଳୁଛି। ଫଳରେ କୋଇଲାର ମାନ ଖରାପ ହେଉଥିବା ସହ ବାହ୍ୟ ତାପମାତ୍ରା ଏବଂ ପ୍ରଦୂଷଣ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବଢ଼ୁଛି। ଏହାକୁ ନିୟନ୍ତ୍ରଣ କରିବା ଦିଗରେ କର୍ତୃପକ୍ଷ କୌଣସି ସଚେତନତା ପଦକ୍ଷେପ ନେଉନାହାନ୍ତି। ଏପରିକି ସିଧାସଳଖ କୋଇଲା ଧୂଆଁର ଶିକାର ହୋଇ ଅନେକ ଲୋକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିକାର କରାଯାଉନାହିଁ। ଏହି ଘଟଣାକୁ ନେଇ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅସନ୍ତୋଷ ପ୍ରକଟ କରିଛନ୍ତି।

ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଘଟଣାସ୍ଥଳ ତଦାରଖ କରିବାକୁ କହିଥିବା କୁହାଯାଇଛି। ବିଜେପି ପକ୍ଷରୁ ମିଡିଆ ପ୍ରଭାରୀ ସୁଶୀଳ ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ ନାଏକ, ବାବୁଲ ଯାଦବ, ଆଶିଷ ପଣ୍ଡା, ରୁକମଣ ଧୁରୁଆ ମଧ୍ୟ ବିଭିନ୍ନ କୋଇଲା ଷ୍ଟକ୍‌ୟାର୍ଡ ବୁଲି ଦେଖିଥିଲେ। ପ୍ରକଳ୍ପ ଅଧିକାରୀ ପିପି ଗୁପ୍ତାଙ୍କ ସହ ଆଲୋଚନା କରିଥିଲେ। ନିଅାଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି ବୋଲି ଶ୍ରୀ ଗୁପ୍ତା ବିଜେପି ପ୍ରତିନିଧିଙ୍କୁ ଜଣାଇଛନ୍ତି। ପ୍ରକାଶ ଥାଉ କି କୋଇଲାରେ ଏଭଳି ଅବାଞ୍ଛିତ ନିଅାଁ ଲାଗିବା ଯୋଗୁଁ ବ୍ରଜରାଜନଗର ସହ ଖଣି ଅଞ୍ଚଳରେ ଅନ୍ୟ ସ୍ଥାନ ଅପେକ୍ଷା ୧-୨ ଡିଗ୍ରି ହାରାହାରି ତାପମାତ୍ରା ଅଧିକ ରହୁଥିବା ମଧ୍ୟ ରେକର୍ଡ କରାଯାଇଛି। ଏହା ଉପରେ ଏଯାଏ କୋଲଇଣ୍ଡିଆ କିମ୍ବା ଏମସିଏଲ ପକ୍ଷରୁ ଠୋସ୍‌ ପ୍ରତିକାର ବ୍ୟବସ୍ଥା କିମ୍ବା ପ୍ରଦୂଷଣ ପରିଚାଳନା ପଦ୍ଧତି ଲାଗୁ କରାଯାଇପାରି ନାହିଁ। ଝାରସୁଗୁଡ଼ାରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ନିରବଦ୍ରଷ୍ଟା ଓ ପ୍ରଭାବଶୂନ୍ୟ ଭାବେ କେବଳ କାଗଜକଲମରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe