ଗ୍ରିନଡୋଲା ଲୋଟସ୍‌ ବ୍ରିଜ୍‌ରେ ଫାଟ

ଗ୍ରିନଡୋଲା ଲୋଟସ୍‌ ବ୍ରିଜ୍‌ରେ ଫାଟ

ବ୍ରଜରାଜନଗର: ବେଲପାହାଡ଼ରୁ ହିମଗିର ଯାଇଥିବା ରାସ୍ତାରେ ଥିବା ଲୋଟସ୍‌ ନାଳ ଉପରେ ନିର୍ମିତ ବ୍ରିଜ୍‌ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲଖନପୁର ବ୍ଲକ୍‌ ଗ୍ରିନଡୋଲା ପଞ୍ଚାୟତରେ ଆସୁଥିବା ଏହି ପୋଲଟି ବେଲପାହାଡ଼ ବନ ବିଭାଗ କାର୍ଯ୍ୟାଳୟ ନିକଟ ଛକରୁ ୫ କିମି ଦୂରରେ ଏହା ଲୋଟସ୍‌ ବ୍ରିଜ୍‌ ଭାବେ ପରିଚିତ। ୨୦ ମିଟର ଓ ୧୨ ମିଟର ଓସାରର ପୋଲଟି ୨ଟି ପିଲର୍‌ ଓ ୩ଟି ବିମ୍‌ ଉପରେ ନିର୍ମିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହିମଗିର ଅଞ୍ଚଳରୁ ବେଲପାହାଡ଼ ସହ ଝାରସୁଗୁଡ଼ା ପଟକୁ ଆସୁଥିବା ଜନସାଧାରଣଙ୍କ ପାଇଁ ଏହି ପୋଲଟି ଗୁରୁତ୍ୱପୂର୍ଣ୍ଣ ଅଟେ। ଶହ ଶହ ଭାରୀ ଯାନ ଯାତାୟାତ କରୁଛନ୍ତି। ସୁନ୍ଦରଗଡ଼କୁ ପ୍ରତିଦିନ ଶତାଧିକ ୨ ଚକିଆ, ୪ ଚକିଆ ଯାନ ଯାତୟାତ କରୁଛନ୍ତି। ବ୍ୟବସାୟୀମାନେ ଏହି ରାସ୍ତାକୁ ମୁଖ୍ୟତଃ ବ୍ୟବହାର କରନ୍ତି। ଏହି ପୋଲଟି ସେତେବେଳେ ବୋର୍ଡର ରୋଡ୍‌ ଅର୍ଗନାଇଜେସନ୍‌ (ବିଆରଓ) ପକ୍ଷରୁ ନିର୍ମାଣ କରାଯାଇଥିଲା। କୋଇଲା ପରିବହନ ପ୍ରଥମେ ଏହି ରାସ୍ତା ଦେଇ କରାଯାଉଥିଲା। ଏବେ ପୋଲଟିର ତଳ ଅଂଶରୁ ସିମେଣ୍ଟ ସ୍ଲାବ୍‌ ଭାଙ୍ଗିବା ଆରମ୍ଭ କରିଛି। ପୋଲଟି ମରାମତି ନ ହେଲେ କୌଣସି ସମୟରେ ବି ଚଳିତ ବର୍ଷା ଋତୁରେ ଭାଙ୍ଗି ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ରାସ୍ତାଟି ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ପିଡବ୍ଲୁଡିକୁ ହସ୍ତାନ୍ତର କରାଯାଇ ପୋଲର ନିର୍ମାଣ କରିବାକୁ ମଧ୍ୟ ମତ ପ୍ରକାଶ ପାଇଛି। ପିଡବ୍ଲୁଡି ଜେ.ଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିବା ବେଳେ ଅଦ୍ୟାବଧି କୌଣସି ବିଭାଗ ଅଧୀନରେ ଏହି ପୋଲ ଆସୁନାହିଁ। ତେବେ, ପୋଲ ଓ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲର ପୁନଃନିର୍ମାଣ ଦିଗରେ ପଦକ୍ଷେପ ତ୍ୱରାନ୍ଵିତ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe