ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ : କଂଗ୍ରେସ ଗଡ଼ରେ ବିଜେଡି ଗଡ଼ମା

କଂଗ୍ରେସର ଦାବି ନବଙ୍କ ସହ ଭୋଟ ଯିବନି, ବିଜେପି ବି ଉତ୍ସାହିତ, ବଢୁଛନ୍ତି ଆଶାୟୀ

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ : କଂଗ୍ରେସ ଗଡ଼ରେ ବିଜେଡି ଗଡ଼ମା

ଝାରସୁଗୁଡ଼ା, (ପ୍ରଶାନ୍ତ କୁମାର ମିଶ୍ର): ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ବୋଲି କୁହାଯାଏ। ୧୯୫୭ ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ୧୪ଟି ନିର୍ବାଚନରେ ଏଠାରୁ ୧୦ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମାତ୍ର ୪ ଥର ଅଣକଂଗ୍ରେସ ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇ ପାରିଛନ୍ତି। ବାରମ୍ବାର ଏଠାରେ ଅଣ କଂଗ୍ରେସ ଦଳର ପରାଜୟ ଯୋଗୁଁ ବିଭିନ୍ନ ସମୟରେ ଏହି ଅଣ କଂଗ୍ରେସ ଦଳ ଗୁଡ଼ିକର ନେତାମାନେ ତାଙ୍କର ସତ୍ତା ହରାଉଥିଲେ।

publive-image

୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରଚଣ୍ଡ ହାୱା ସତ୍ତ୍ବେ ଏଠାରୁ ଲଗାତର ଦୁଇଥର କଂଗ୍ରେସ ପ୍ରାର୍ଥୀ ନବ ଦାସ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ। କେବଳ ଏତିକି ନୁହେଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ ହେଉଥିବା ବେଳେ ନବଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ୫ ଗୋଟି ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କଂଗ୍ରେସ ଦଖଲ କରିଥିଲା।

ତେବେ ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗ ଦେବାପରେ ଏବେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଚିତ୍ର ବଦଳି ଯାଇଛି। ବିଜେଡି ଶକ୍ତିଶାଳୀ ହୋଇ ପଡ଼ିଥିବା ବେଳେ କଂଗ୍ରେସ ସ୍ଥିତି ଅପେକ୍ଷାକୃତ ଦୁର୍ବଳ ସ୍ଥିତିକୁ ଚାଲିଗଲାଣି। ନବ ଏଠାରୁ ବିଜେଡ଼ି ଟିକେଟରେ ଏଥର ଲଢ଼େଇ କରିବେ ବୋଲି ପ୍ରାୟତଃ ସ୍ଥିର ହୋଇସାରିଥିବା କୁହାଯାଉଛି। ହେଲେ କିଶୋର ମହାନ୍ତିଙ୍କୁ କେଉଁ ଆସନ ଦିଆଯିବ ବା କିଭଳି ଥଇଥାନ କରାଯିବ, ତାହା ଜଣାପଡିନାହିଁ। କାରଣ, ନବ ବିଧାୟକ ଭାବେ ନିର୍ବାଚିତ ହେବା ପରେ କିଶୋର ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନ ପଦରେ ଅଭିଷିକ୍ତ କରିଥିଲେ। ଯାହାକି, କଂଗ୍ରେସ ବିରୋଧୀ ରାଜନୀତି ପାଇଁ ବିଜେଡିକୁ ବଳ ଦେଇ ଆସୁଥିଲା।

publive-image

ଦୀର୍ଘ ବର୍ଷ ଧରି ରାଜନୈତିକ ଶତ୍ରୁତା ମଧ୍ୟରେ ଚଳି ଆସିଥିବା ନବ ଓ କିଶୋର ଏବେ ଗୋଟିଏ ମଞ୍ଚରେ ଠିଆହୋଇ ଜିଲ୍ଲାର ବିକାଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସଂକଳ୍ପ କରିଛନ୍ତି। ବିଜେଡ଼ିରେ ମିଶ୍ରଣ ପରେ ବି‌ଜେଡ଼ିର ଭୋଟ ହାର ଆହୁରି ବୃଦ୍ଧି ପାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଥିଲା ବେଳେ କଂଗ୍ରେସ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ମିଳିବ ଦଳୀୟ େନତା ଦାବି କରୁଛନ୍ତି। ତେଣୁ କଂଗ୍ରେସ ଟିକେଟ ପାଇବା ପାଇଁ ଦିନକୁ ଦିନ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି। ତାଲିକାର ସର୍ବାଗ୍ରେ ଅଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଓ ପୂର୍ବ ବିଧାୟକ ବୀରେନ୍ଦ୍ର ପାଣ୍ଡେ । ଗତ ନିର୍ବାଚନରେ ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗରରେ କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡ଼ିରେ ଯୋଗଦେଇ ପରାଜୟ ବରଣ କରିଥିବା ବେଳେ ସେଠାରେ ବିଜେପିର ରାଧାରାଣୀ ପଣ୍ଡା ଏହାର ସୁଯୋଗ ନେଇଥିଲେ। ଏହି ପରିସ୍ଥିତି କାଳେ ଝାରସୁଗୁଡ଼ାରେ ପ୍ରତିଫଳିତ ହେବ ସେହି ଆଶାରେ ବିଜେପି ବି ଉତ୍‌ଫୁଲ୍ଲିତ ଅଛି। ତେଣୁ ବି‌ଜେପିରେ ମଧ୍ୟ ଟିକେଟ ଅଶାୟୀଙ୍କ ଧାଡ଼ି ଲାଗିଛି । ଏହି ଧାଡ଼ିରେ ଅଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ସୁଷମା ପଟେଲ, ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ଧ୍ରୁବରାଜ ନାଏକ, ଆନନ୍ଦ ପ୍ରଧାନ, ନେତାଜୀ ପଟ୍ଟନାୟକ, ଦୀନେଶ ଜୈନ, ଦୀପକ ପଟେଲ, ପ୍ରଦୀପ ପଟେଲ ଓ ନରେଶ ନାଏକ ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି      କିଶୋର କୁମାର ମହାନ୍ତି   ୬୨,୯୩୬
କଂଗ୍ରେସ     ନବ କିଶୋର ଦାସ        ୭୪,୪୯୯
ବିଜେପି      ଆନନ୍ଦ ପ୍ରଧାନ            ୨୧,୦୪୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe