death Photograph: (sambad.in)
ବ୍ରଜରାଜନଗର: ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବଗ୍ରାମ ହନୁମାନମନ୍ଦିର ପଡ଼ାରେ ଗତକାଲି ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟର ପରଦା ଉଠିପାରିନି। ଗତକାଲି ବନ୍ଦ ଘର ଭିତରୁ ରୁକ୍ମିଣୀ ଭୋଇ (୫୫)ଙ୍କ ଶବ ଉଦ୍ଧାର ପରେ ସ୍ବାମୀ ଗୋବିନ୍ଦ ଭୋଇ (୬୧)ଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଗତକାଲି ପୁଲିସ ଯଦିଓ ଶବ ଜବତ କରିଥିଲା, ହେଲେ ବିଳମ୍ବ ହେବା କାରଣରୁ ବ୍ୟବଚ୍ଛେଦ କରିବା ସମ୍ଭବ ହୋଇନଥିଲା। ଗୋବିନ୍ଦ ନିସନ୍ତାନ ଥିଲେ। ଗତକାଲି ରାତିରେ ତାଙ୍କ ୫ ଭଉଣୀ ସୁଲୋଚନା, କଳାବତୀ, ବୁନନ୍ଦ, ଶିଳାବତୀ ଓ କମଳା ଆସି ପହଁଚିଥିଲେ। ଶବ ବ୍ୟବଚ୍ଛେଦ ପରେ ଇବ୍ ନଦୀ ଘାଟରେ ଉଭୟଙ୍କ ଶବ ୨ଟି ଜୁଇରେ ସଂସ୍କାର ହୋଇଥିଲା। ଭଣଜା ମୁଖାଗ୍ନି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡଡ଼ନ ସୃଷ୍ଟି କରିଛି। କିଭଳି ଓ କାହିଁକି ଏହି ଘଟଣା ଘଟିଲା, ତାହା ଏବେ ବି ରହସ୍ୟାବୃତ ହୋଇ ରହିଛି। ଅପରପକ୍ଷେ ଉଭୟଙ୍କ ଭିଷେରା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ପୁଲିସ ସୂଚନା ଦେଇଛି। ଘର ଭିତରୁ ସେଭଳି କିଛି ସନ୍ଦେହଜନକ ଜିନିଷ ମିଳିନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୋବିନ୍ଦଙ୍କ ସମ୍ପର୍କ ଗ୍ରାମବାସୀଙ୍କ ସହ ବିଶେଷ ନଥିଲା। ଗୋବିନ୍ଦ କୋଇଲା ଖଣି କର୍ମଚାରୀ ଭାବେ ଅବସର ନେଇଥିଲେ। ତାଙ୍କ ଘରେ ଅଳଙ୍କାର ଓ ବ୍ୟାଙ୍କ ପାସବୁକରେ ଟଙ୍କା ଥାଇପାରେ। ସେ କେବେ ଟଙ୍କା ଉଠାଇବାକୁ ଯାଇଥିଲେ, ତାଙ୍କ ସହିତ କେଉଁମାନେ ଯାଇଥିଲେ ଓ ତାଙ୍କ ଘରକୁ କେଉଁମାନେ ଆସୁଥିଲେ ଏହା ଉପରେ ତଦନ୍ତ କରାଯିବା ଆବଶ୍ୟକ। ସୂଚନା ଅନୁଯାୟୀ, ଉଭୟ ସ୍ବାମୀ-ସ୍ତ୍ରୀ ପ୍ରାୟ ୪ ଦିନ ହେବ ଘରୁ ବାହାରକୁ ବାହାରି ନଥିଲେ। ଗତକାଲି ଗୋବିନ୍ଦଙ୍କ ଶାଳୀ ଘରକୁ ଆସିଥିଲେ। ଭିତରୁ କବାଟ ବନ୍ଦ ଥିବା ଦେଖି କବାଟ ବାଡ଼େଇଥିଲେ। ଗୋବିନ୍ଦ ଯଦିଓ କବାଟ ଖୋଲିଥିଲେ, ତେବେ ଘର ଭିତରେ ଯେଉଁ କୋଠରିରେ ସ୍ତ୍ରୀ’ର ଗଳିତ ଶବ ଥିଲା ସେଠାକୁ ଯାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ପୁଲିସ ଗୋବିନ୍ଦଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏତେ ଦୁର୍ଗନ୍ଧ ଭିତରେ ପତ୍ନୀ ପାଖରେ ସ୍ବାମୀ କିଭଳି ପଡ଼ି ରହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସମ୍ପର୍କରେ ଏସପି ଜୀ. ରେଡି ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗୋବିନ୍ଦ ପତ୍ନୀଙ୍କ ୪ ଦିନ ହେବ ମୃତ୍ୟୁ ଘଟିଛି। ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ଗତକାଲି ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମଦ୍ୟପାନ ସମ୍ପର୍କିତ କୌଣସି ପ୍ରମାଣ ମିଳି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି।
Follow Us