ଝାରସୁଗୁଡ଼ା: ଆସନ୍ତା ୧୮ ତାରିଖ ନିର୍ବାଚନ ହେବାକୁ ଥିବା ବ୍ରଜରାଜନଗର-୬ ଓ ଝାରସୁଗୁଡ଼ା-୭ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ କମିସନଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଲେ ଯେ ନିର୍ବାଚନ ପାଇଁ ବୁଥ୍ କାର୍ଯ୍ୟ, ଇଭିଏମ୍ କମିସନିଂ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ସେକ୍ଟର ଅଫିସର ଓ ମାଇକ୍ରୋ ଅବଜର୍ଭରଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଭିନ୍ନକ୍ଷମଙ୍କୁ ମତଦାନ ବେଳେ ସହାୟତା ଯୋଗାଇ ଦେବାକୁ ୪୮୮ଟି ସକ୍ଷମ ବାହନ ସହ ୫୧୦ ବୁଥରେ ୨ ଜଣ ଲେଖାଏ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଛନ୍ତି। ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ମହିଳାଙ୍କ ପରିଚାଳନାରେ ଦୁଇଟି ପିଙ୍କ୍ବୁଥ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୧୮ ବର୍ଷରୁ କମ୍ ଏନ୍ସିସି ଓ ରେଡ଼୍କ୍ରସ୍ ବାହିନୀକୁ ନିର୍ବାଚନ ବେଳେ ସ୍ବେଚ୍ଛାସେବୀ ଭାବରେ ମୁତୟନ କରାଯିବା ସହିତ ପୋଲିଂ ଅଫିସରଙ୍କ ପାଇଁ ରହିବା, ଖାଇବା ଓ ଡାକ୍ତରୀ ସୁବିଧା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏଡିଏମ୍ ଜ୍ଞାନରଞ୍ଜନ ଭଞ୍ଜଦେଓ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଆଲୋମଣୀ ସେଠୀ, ଗୋଲକ ବିହାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ବାଚନ ପରିଚାଳନା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ:ଝାରସୁଗୁଡ଼ା ଜିଲ୍ଲାରେ ୨ଟି ପିଙ୍କ୍ ବୁଥ୍
Advertisment
Follow Us