ଝାରସୁଗୁଡ଼ା: କୋଲାବିରା ଥାନା ଅନ୍ତର୍ଗତ ପତ୍ରାପାଲି ଠାରେ ଥିବା କ୍ରିଷ୍ଣା ଫିଲିଂ ଷ୍ଟେସନରେ ରବିବାର ଅପରାହ୍ନରେ ସଶସ୍ତ୍ର ଡ଼କାୟତି ହୋଇଥିବା ଜଣାଯାଇଛି। ଆଜି ଅପରାହ୍ନ ପ୍ରାୟ ୧ଟାରେ ପେଟ୍ରୋଲ ପମ୍ପର ସମସ୍ତ କର୍ମଚାରୀ ଖାଇବାକୁ ଯାଇଥିବା ବେଳେ କେବଳ ଜଣେ ସେଲ୍ସ ମେନ୍ ରାଜୁ ସିଂ (୩୫) ପେଟ୍ରୋଲ ପମ୍ପରେ ଥିଲେ। ଏହି ସମୟରେ ୬ ଜଣ ଯୁବକ ଆସି ରାଜୁ ସିଂଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ବିରୋଧ କରିବାରୁ ଜଣେ ଆକ୍ରମଣକାରୀ ତାଙ୍କ ହାତକୁ କାମୁଡ଼ି ତାଙ୍କ ପାଖରେ ଥିବା ୧୮ ହଜାର ୫୩୦ ଟଙ୍କା ଛଡ଼ାଇ ଦେଡ଼ି ପଳାଇଥିବା ରାଜୁ ଅଭିଯୋଗ କରିଛନ୍ତ।
ଅଭିଯୁକ୍ତମାନେ ଦେଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ସେମାନଙ୍କ ପାଖରୁ ଗୋଟିଏ ଗୋଟିଏ ଗେଟ୍ ପାସ ପଡ଼ି ଯାଇଥିଲା। ଏ ନେଇ ଅଭିଯୋଗକାରୀ କୋଲାବିରା ଥାନାରେ ଏତଲା ଦେଇଛନ୍ତି। ମାତ୍ର ଆଇଆଇସି ଝାରସୁଗୁଡ଼ା କ୍ରାଇମ୍ ମିଟିଂରେ ଥିବାରୁ ମାମଲା ରୁଜୁ ହୋଇନାହିଁ। ଏହି ଘଟଣା ସେହି ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।
Follow Us