ନବୀନଙ୍କ ନିକଟତର ହେଉଛନ୍ତି ନବ

ନବୀନଙ୍କ ନିକଟତର ହେଉଛନ୍ତି ନବ

ଝାରସୁଗୁଡ଼ା : ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାରେ ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି। ଜିଲ୍ଲା ତଥା ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ କାର୍ଯ୍ୟକଳାପ ଏବେ ତାଙ୍କ ବିରୋଧୀଙ୍କ ହୃଦକମ୍ପନ ବଢ଼ାଇ ଦେଇଛି। ଜିଲ୍ଲା ରାଜନୀତିରେ ନବଙ୍କ ଅଖଣ୍ଡ କ୍ଷମତା ରହିଥିବା ବେଳେ ସେ ଦିନକୁ ଦିନ ତୃତୀୟ ମହଲାର ନିକଟତର ହୋଇଛନ୍ତି। ଏ ନେଇ ସ୍ଥାନୀୟ ବିଜେଡିରେ ଏକ ପ୍ରକାର ଆଶଙ୍କା ଦେଖା ଦେଇଛି।

ଗତ କିଛି ମାସ ତଳେ ଝାରସୁଗୁଡ଼ା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଏକ୍ସ୍‌ପ୍ରେସ୍‌ ୱେ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ବିଧାୟକ ନବ ଦାସ ନବୀନଙ୍କୁ ବିକାଶର ଅନ୍ୟ ନାମ ବୋଲି କହି ପ୍ରଶଂସାରେ ପୋତି ପକାଇବା ପରେ ଜିଲ୍ଲା ରାଜନୀତି ହଲଚଲ୍‌ ହୋଇ ଉଠିଥିଲା। ନବ ଦାସ ବିଜେଡି ଦଳରେ ଯୋଗ ଦେଉଥିବା ନେଇ ମଧ୍ୟ ଖୋଲାଖୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଜେଡିକୁ ଯିବା ନେଇ ନବଙ୍କ ପ୍ରତିକ୍ରିୟା ସେତେ‌ବେଳେ ଥିଲା ଯେ ମୋ ପାଇଁ ମାଟି ଆଗ ଓ ପାର୍ଟି ପରେ। ମୋ ଅଞ୍ଚଳର ବିକାଶ ଯେ କରିବ ତାକୁ ମୁଁ ପ୍ରଶଂସା କରିବାରେ ତିଳେ ହେଲେ ଦ୍ବିଧା କରିବି ନାହିଁ। ଏହାପରେ ନବ ଦାସ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେବା ପରେ ନବ ବିଜେଡିକୁ ଯିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଏକ ପ୍ରକାର ଅବସାନ ଘଟିଥିଲା। ମାତ୍ର ଗତ ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ପାଇଁ ଆସିଥିବା ବେଳେ ନବଙ୍କ ପରିବାର ଓ ସାଙ୍ଗସାଥୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଲାଉଞ୍ଜରେ ସାକ୍ଷାତ ହେବା ଓ ସପରିବାର ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ଉଠାଇବାକୁ ନେଇ ଏବେ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ନବଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ନବ ବିଜେଡିକୁ ଯିବା ନେଇ ଗତ କିଛି ମାସ ତଳେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇ ନିରବୀ ଯାଇଥିଲା। ଏବେ ତାହା ପୁଣି ଚର୍ଚ୍ଚା ଜୋର ଧରିଛି।

ନବଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ସଂପର୍କ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ଯେତିକି ବଢ଼ୁଛି ଜିଲ୍ଲା ରାଜନୀତିରେ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଝାରସୁଗୁଡ଼ାରେ ବିଜେଡି ନେତୃତ୍ବ ଯେଉଁ କାର୍ଯ୍ୟ କରି ପାରୁନାହିଁ ନବ ସେହି କାମକୁ କେଇ ମିନିଟ୍‌ରେ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ନବଙ୍କ କଥାକୁ ଗୁରତ୍ବ ଦେବା ଆରମ୍ଭ କରି ଦେଇଛି। ନବଙ୍କ ଏଭଳି ଭୂମିକା ଏବେ ସ୍ଥାନୀୟ ବିଜେଡି ନେତାଙ୍କର ହୃଦକମ୍ପନ ବଢ଼ାଇ ଦେଇଥିବା ବେଳେ କଂଗ୍ରେସ ଶିବିର ମଧ୍ୟ ଚିନ୍ତିତ ହୋଇ ପଡ଼ିଛି। ନବଙ୍କ ଏହି ଆଭିମୂଖ୍ୟ ଆଗାମୀ ଦିନରେ ନୂତନ ରାଜନୈତିକ ସମୀକରଣ ସୃଷ୍ଟି କରିବା ନିଶ୍ଚିତ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe