ଝାରସୁଗୁଡ଼ା ଭାଟିରେ ଚଢ଼ଉ ଘଟଣା ଚଢ଼ଉ ପୂର୍ବରୁ ଆଲମାରୀ ଖାଲି !

ଟଙ୍କା ଗଣିଗଣି ମେସିନ୍ ଅଚଳ: ଜବତ ହେଲା ଆଉ ୩୭ କୋଟି

ଝାରସୁଗୁଡ଼ା: ମଦଭାଟି ମାଲିକଙ୍କ ଘରୁ ଶହ ଶହ ‌କୋଟି ଟଙ୍କା ଜବତ ହେବାପରେ ଭାଟି ମାଲିକମାନଙ୍କ କଳା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ମଦ ଭାଟି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ଉ କରିଥିଲେ ହେଁ ୨ ଦିନର ଖୋଜାଖୋଜି ପରେ ବି ‌କେବଳ ଦସ୍ତାବିଜ୍‌ ବ୍ୟତୀତ ଆଉ କିଛି ପାଇ ନ ଥିବା ଜଣାପଡ଼ିଛି। ସେପଟେ, ଆୟକର ଚଢ଼ଉର କିଛି ଘଣ୍ଟା ପୂର୍ବରୁ ଉକ୍ତ ଭାଟି କାର୍ଯ୍ୟାଳୟରୁ ୪ଟି ଗାଡ଼ିରେ ବସ୍ତା ବସ୍ତା ଟଙ୍କା ଝାରସୁଗୁଡ଼ାସ୍ଥିତ ଜଣେ ପୁରୁଣା ମଦ ମାଫିଆଙ୍କ ଘରକୁ ସ୍ଥାନାନ୍ତରିତ କରି ନିଆଯାଇଥିବା ବ୍ରଜରାଜନଗରରେ ଚର୍ଚ୍ଚା ହେଉଛି।

ଅବକାରୀ ବିଭାଗ ଓ ଭାଟି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁ ୧୯୯୭ ମସିହାରୁ ଭାଟି ଆଉ ନିଲାମ ହୋଇନାହିଁ। ପ୍ରତିବର୍ଷ କେବଳ ଭାଟି ମାଲିକଙ୍କର ନବୀକରଣ କରି ବିଭାଗ କାମ ଶେଷ କରିଦେଉଛି। ଅବକାରୀ ବିଭାଗରେ କର୍ମଚାରୀ ସଙ୍କଟ ଲାଗି ରହିଥିବାରୁ ଏହି ଭାଟି ମାଲିକଙ୍କର ବିହାରୀ ଗୁଣ୍ଡା ବିଭାଗ ପାଇଁ କାମ କରିବା ସହ ଅବକାରୀ ଚଢ଼ଉଗୁଡ଼ିକରେ ମଧ୍ୟ ‌ସାମିଲ୍‌ ହେଉଥିବା ନଜିର ରହିଛି।

୫ ମାସ ତଳେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ଠେଲକୋବୁଡ଼ ଅଞ୍ଚଳରେ ଅବକାରୀ ଚଢ଼ଉ ଚାଲିଥିବା ବେଳେ ବିହାରୀ ଗୁଣ୍ଡା ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ନାବାଳିକା ଝିଅକୁ ଅସଦାଚରଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅବକାରୀ ବିଭାଗ ଓ ଭାଟି ମାଲିକଙ୍କ ମଧ୍ୟରେ ରହିଥିବା ଏହି ମଧୁଚନ୍ଦ୍ରିକା ଯୋଗୁ ମଦ ଭାଟିଗୁଡ଼ିକରେ ଚାଲିଥିବା ଦୁର୍ନୀତି ଉପରେ ବି କେବେ ବିଭାଗୀୟ ଆଖି ପଡ଼ିନଥାଏ। ସାଧାରଣତଃ ମଦ ଭାଟିଗୁଡ଼ିକରେ କମ୍‌ ମହୁଲ ଫୁଲରୁ ଅଧିକ ମଦ ତିଆରି ପାଇଁ ଚିନିର ବ୍ୟବହାର ହୋଇଥାଏ। କିନ୍ତୁ ଅବକାରୀ ବିଭାଗର ଅଧିକାରୀ ‌ଦିନକ ପାଇଁ ହେଲେ ବି ଏହି ଭାଟିରେ ମଦ ପ୍ରସ୍ତୁତି ଠିକ୍‌ରେ ଚାଲିଛି ନା ନାହିଁ ତାହାର ଯାଞ୍ଚ କରୁ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe