India Rail Info
ଝାରସୁଗୁଡ଼ା: ଦୀପାବଳି ପୂର୍ବରୁ ଝାରସୁଗୁଡ଼ାରେ ବଢ଼ିଲା ପ୍ରଦୂଷଣ ହାର। ଏକ୍ୟୁଆଇ ବା ଏୟାର କ୍ବାଲିଟି ଇଣ୍ଡେକ୍ସରେ ଝାରସୁଗୁଡ଼ାର ବାୟୁ ପ୍ରଦୂଷଣ ମାତ୍ରା ୧୫୦ ପାର୍ କରିଥିବା ବେଳେ ଦୀପାବଳି ପରବର୍ତ୍ତୀ ସମୟରେ ଏହା ୨ ଶହ ଟପିବା ଆଶଙ୍କା ଦେଖାଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ପ୍ରଦୂଷିତ ବାୟୁ ଏବେ ଶ୍ବାସକ୍ରିୟା ପାଇଁ ମଧ୍ୟ ବିପଦ ପାଲଟିଛି। ବର୍ଦ୍ଧିତ ଶିଳ୍ପାନୁଷ୍ଠାନ ସଂଖ୍ୟା ଓ ସେଗୁଡ଼ିକରୁ ହେଉଥିବା ଅନିୟନ୍ତ୍ରିତ ପ୍ରଦୂଷଣ ହିଁ ଏହି ସ୍ଥିତିର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାଏକଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇନାହିଁ।
ଝାରସୁଗୁଡ଼ାରେ ୩ ମାସ ତଳେ ପିଏମ୍ ୨.୫ ସ୍ତରର ପ୍ରଦୂଷଣ ପ୍ରତି ଘନ ମିଟର ପିଛା ୪୮ଥିବା ବେଳେ ଗତ ମାସରେ ଏହାର ସ୍ଥିତି ହାରାହାରି ୭୧ ରହିଥିଲା। ଆଜିର ଦିନରେ ପ୍ରଦୂଷଣ ହାର ୧୦୭ରେ ପହଞ୍ଚିଛି। ଏହି ପ୍ରଦୂଷିତ ବାୟୁ ଶ୍ବାସକ୍ରିୟାରେ ଗ୍ରହଣ କରିବା ଦୈନିକ ୫ଟି ସିଗାରେଟ୍ ଟାଣିବା ସହ ସମାନ। ଏହି ସମୟରେ ପିଏମ୍ ୧୦ ସ୍ତରର ପ୍ରଦୂଷଣ ପ୍ରତି ଘନମିଟର ପିଛା ୯୫ ରହିଥିବା ବେଳେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ର ପରିମାଣ ୩୪ ରହିଛି। ପାଣିପାଗ ଆକଳନକାରୀ ସଂସ୍ଥା ଆକ୍ୟୁୱେଦରର ତଥ୍ୟ ଅନୁସାରେ, ଝାରସୁଗୁଡ଼ାରେ ଏୟାର କ୍ବାଲିଟି ଇନ୍ଡେକ୍ସ ୧୦୭ ରହିଛି। ଯାହାକି ଅତ୍ୟନ୍ତ ଅସ୍ବାସ୍ଥ୍ୟକର।
ଏୟାର କ୍ବାଲଟି ଡଟ୍ କମ୍ର ଆକଳନ ଅନୁସାରେ ଝାରସୁଗୁଡ଼ାରେ ଏୟାର କ୍ବାଲିଟି ଇନ୍ଡେକ୍ସ ୧୫୩ ରହିଛି। ଜିଲ୍ଲାର ଅନ୍ୟ ସ୍ଥାନ ଯଥା ବେଲପାହାଡ଼, ବ୍ରଜରାଜନଗରରେ ଏକ୍ୟୁଆଇର ସ୍ତର ୧୨୦ ଉପରେ ରହିଛି। ସେପଟେ, ଝାରସୁଗୁଡ଼ାର ବାୟୁମଣ୍ଡଳରେ ଡଷ୍ଟ ପାର୍ଟିକଲ ବା ଧୂଳିକଣାର ଅଧିକ ଉପସ୍ଥିତି ଯୋଗୁଁ ଦିନ ସମୟରେ ତାପମାତ୍ରା ମଧ୍ୟ ଯଥେଷ୍ଟ ଅଧିକ ଅନୁଭୂତ ହେଉଛି। ଝାରସୁଗୁଡ଼ାରେ ବର୍ଦ୍ଧିତ ଶିଳ୍ପାନୁଷ୍ଠାନ ଓ ସେମାନଙ୍କ ଦ୍ବାରା ନିର୍ଗତ ବର୍ଜ୍ୟବସ୍ତୁ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ସାଜିଛି। ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଶିଳ୍ପାନୁଷ୍ଠାନ ସଂଖ୍ୟା ଅଧିକ ରହିଥିବାରୁ ଏହି ଅଞ୍ଚଳରେ ପ୍ରଦୂଷଣର ହାର ଯଥେଷ୍ଟ ଅଧିକ। କମ୍ପାନିଗୁଡ଼ିକର ଚିମିନିରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଯଥା ସଲଫର ଡାଇଅକ୍ସାଇଡ, ସୁଟ୍, ବେଞ୍ଜିନ୍ ଆଦି ଫଗ୍ ବା କୁହୁଡ଼ି ସଂସ୍ପର୍ଶରେ ଆସି ପ୍ରତିକ୍ରିୟା କରିବା ପରେ ଏହାକୁ ସ୍ମୋଗ୍ରେ ପରିଣତ କରୁଥିବା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
Follow Us