ବ୍ରଜରାଜନଗର : ପାଣି ପଞ୍ଚାୟତ ମାଧ୍ୟମରେ ଚାଷ ଜମିକୁ ଜଳର ସୁପରିଚାଳନା ନିମନ୍ତେ ସରକାରଙ୍କ ଏମଆଇପି ବିଭାଗ କାମ କରୁଛି। ଚାଷୀଙ୍କ ସହ ସୁସମ୍ପର୍କ ସହ କିପରି ସ୍ଥାନୀୟ ଚାହିଦାକୁ ଆଧାର କରି ପାଣିର ସୁଷମ ବଣ୍ଟନ ହୋଇପାରିବ ସେନେଇ ଚେକଡ୍ୟାମ, କେନାଲ ଆଦି ନିର୍ମାଣ କରାଯାଉଛି। ହେଲେ, ତ୍ରୁଣମୂଳ ସ୍ତରରେ ବିଭିନ୍ନ ଅନିୟମିତତା ଯୋଗୁଁ ଏହା ଚାଷୀଙ୍କ କାମରେ ଆସୁନାହିଁ।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଜାମଗାଁ ଜୟଜଗନ୍ନାଥ ବିଭାଜିକା ଦ୍ୱାରା ଖୋଳା ଯାଇଥିବା କେନାଲ କାମରେ ଏଭଳି ଅନିୟମିତତା ଯୋଗୁଁ ଚାଷୀଙ୍କୁ ପାଣି ନିଅଣ୍ଟ ହେଉଛି। ୫ ଲକ୍ଷ ଅନୁଦାନ ରାଶିରୁ ୪ ଲକ୍ଷ ୨୦ ହଜାର ଟଙ୍କା ପଇଠ ହୋଇଥିବାରୁ ସନ୍ଦେହ ସୃଷ୍ଟି କରିଛି। ୨୦ ଦିନ ତଳେ ଜାମଗାଁ ଜୟ ଜଗନ୍ନାଥ ଜଳ ବିଭାଜିକା କମିଟିର ସଭାପତି କାଶିରାମ ପ୍ରଧାନ ଏନେଇ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ଖରା ଦିନରେ ଚାଷ ଜମିକୁ ଜଳଯୋଗାଣ ଉଦ୍ଦେଶ୍ୟରେ ୧୨ ଏକର ଝାରକଟାରୁ କାର୍ଯ୍ୟ ଆରମ୍ଭ ହୋଇଛି। କଟାର ହିଡ଼ ମରାମତି ପାଇଁ ୨୦୧୬-୧୭ରେ ଏମଆଇପି ପକ୍ଷରୁ ୭ ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ସଞ୍ଚିତ ଜଳ ଦ୍ୱାରା ଜାମଗାଁର ପ୍ରାୟ ୨୫ ଏକରରୁ ଅଧିକ ଚାଷ ଜମିକୁ ଜଳଯୋଗାଣ ଉଦ୍ଦେଶ୍ୟ ରହିଥିଲା। ଏଥିପାଇଁ ଝାରକଟାରୁ ଜାମଗାଁ ପର୍ଯ୍ୟନ୍ତ ୧ କିମିରେ ଏକ କେନାଲ ଖୋଳା ହୋଇଛି। ବ୍ଲକ୍ ପକ୍ଷରୁ ୩ ଲକ୍ଷ ଟଙ୍କା, ପଞ୍ଚାୟତ ପକ୍ଷରୁ ୧ ଲକ୍ଷ, ଏମଆଇପି ପକ୍ଷରୁ ୬ ଲକ୍ଷ ଟଙ୍କା ଟେଣ୍ଡର କରାଯାଇ କାର୍ଯ୍ୟ ହୋଇଛି। କେନାଲର ଶଯ୍ୟା ଓ ୨ ପାର୍ଶ୍ୱରୁ ସିମେଣ୍ଟ କଂକ୍ରିଟ୍ କରିବା ପାଇଁ ଜୟଜଗନ୍ନାଥ ଜଳ ବିଭାଜିକା ଦ୍ୱାରା ୫ ଲକ୍ଷ ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, କାର୍ଯ୍ୟ ଆରମ୍ଭ ହେବା ପରେ ପରେ ୪ ଲକ୍ଷ ୨୦ ହଜାର ଟଙ୍କା ବିଲ୍ ପଇଠ ହୋଇସାରିଛି। କମିଟି ସଭାପତି କାଶିରାମ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଜାଣତରେ ସମ୍ପାଦକ ଜିତେନ୍ଦ୍ର ପ୍ରଧାନ ଓ ସଭ୍ୟ ଡମ୍ବରୁ ପ୍ରଧାନଙ୍କ ଦ୍ୱାରା ଏହି ଟଙ୍କା ଉଠାଣ ହୋଇଛି। ଏ ସମ୍ପର୍କରେ ସମ୍ପାଦକ ଶ୍ରୀ ପ୍ରଧାନ ସନ୍ତୋଷଜନକ ଉତ୍ତର ଦେଇପାରୁ ନଥିବା ବେଳେ ସେମାନଙ୍କୁ ଦିଆଯାଇଥିବା ୧୭୮ ମିଟର କାମ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି। ୧୬୦ ମିଟର କେନାଲ ଶଯ୍ୟା ହୋଇଥିବା ବେଳେ ସାଇଡ୍ଓ୍ଵାଲର ଗୋଟିଏ ପାର୍ଶ୍ୱ ୧୦୦ ମିଟର ଏବଂ ଅନ୍ୟଟି ୨୦ ମିଟର ରହିଛି। ଅଭିଯୋଗ ସମ୍ପର୍କରେ ବିଭାଗୀୟ କର୍ମଚାରୀ ପ୍ରଫୁଲ୍ଲ ରାଉତ କହିଛନ୍ତି ଯେ ବାଲି, ଗେଟି, ସିମେଣ୍ଟ ଜମା କରାଯାଇ ୪ ଲକ୍ଷ ୨୦ ହଜାର ଟଙ୍କା ଦୁଇଟି ପର୍ଯ୍ୟାୟରେ ବିଲ୍ ପଇଠ କରାଯାଇଛି। ତେବେ, କେନାଲ କାମ ସଂପୂର୍ଣ୍ଣ ନ ହୋଇ ବିଲ୍ ଉଠାଯିବା ଘଟଣା ସନ୍ଦେହ ସୃଷ୍ଟି କରୁଛି। ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟର ସମ୍ପୂର୍ଣ୍ଣ ତଦନ୍ତ କରାଯିବାକୁ ଦାବି ହେଉଛି।
Follow Us