ବେଦାନ୍ତ ଫାଙ୍କା ଗୁଳି ଚାଳନା ଘଟଣା : ଆଉ ୫ ଗିରଫ, ୩ ପିସ୍ତଲ ଓ ଗୁଳି ଜବତ

ବେଦାନ୍ତ ଫାଙ୍କା ଗୁଳି ଚାଳନା ଘଟଣା : ଆଉ ୫ ଗିରଫ, ୩ ପିସ୍ତଲ ଓ ଗୁଳି ଜବତ

ଝାରସୁଗୁଡ଼ା : ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ବେଦାନ୍ତ ଟାଉନସିପ୍‌ ମୁଖ୍ୟ ଦ୍ୱାରରେ ଫାଙ୍କା ଗୁଳି ଚାଳନା ଓ ଲିଫ୍‌ଲେଟ୍‌ ଫିଙ୍ଗା ଘଟଣାରେ ବଡ଼ମାଳ ପୁଲିସ ଆଉ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ମଧ୍ୟ ଅଟକ ରଖିଛି। ଏହି ୫ ଜଣଙ୍କ ଠାରୁ ୩ ଗୋଟି ପିସ୍ତଲ, ଗୁଳି ଓ ୨ଟି ବାଇକ ଜବତ କରାଯାଇଥିବା ନେଇ ବଡ଼ମାଳ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରବିବାର ଏସ୍‌ଡ଼ିପିଓ କୈଳାସ ଆଚାଯ୍ୟର୍ ଓ ଆଇଆଇସି ପ୍ରତାପ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଶନିବାର ପୁଲିସ ଫାଇଟ୍‌ ଫର୍‌ ରାଇଟ୍‌ର ସଭାପତି ମନମୋହନ ସିଂଙ୍କୁ ଗିରଫ କରିବା ପରେ ତାଙ୍କ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ କଶ୍ୟପ, ସାୟଦ ଅଲ୍ଲୀ, ହୀରା ସିଂ, ସୋନୁ ମେହେରା ଓ ଭୁପେଶ ଦାସ। ପୁଲିସ କହିଛି ଯେ ଝାରସୁଗୁଡ଼ା ଫାଇଟ୍‌ ଫର୍‌ ରାଇଟ୍‌ ପକ୍ଷରୁ ଏହି କାଣ୍ଡ କରାଯାଇଛି। ସଂଗଠନର ମୁଖ୍ୟ ମନମୋହନ ସିଂଙ୍କ ନେତୃତ୍ୱରେ ଗତ ୧୦ ତାରିଖ ସନ୍ଧ୍ୟାରେ ପୂର୍ବ ଯୋଜନା ମୁତାବକ ବେଦାନ୍ତ ଟାଉନସିପ୍‌ ମୁଖ୍ୟ ଫାଟକ ସମ୍ମୁଖରେ ବେଦାନ୍ତ ଏଚ୍‌ ଆର୍‌ ହେଡ଼୍‍ ଦିଲୀପ ରଂଜନ ସାହୁ ଓ କମର୍ସିଆଲ ହେଡ୍‌ ଅନିଲ ଦୁବେଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ ମାତ୍ର ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା।

ପରେ ମନମୋହନ ସିଂ ବନ୍ଧୁକ ବନେଟରେ କାର କାଚକୁ ଭାଙ୍ଗି ଏହି ଅଧିକାରୀ ମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରି ଅସଫଳ ହୋଇଥିବା ପୁଲିସ କହିଛି। ମନମୋହନ, ଦୀପକ ଓ ସାୟଦ ତିନିଜଣ ଗୁଳି ଚଳାଇଥିବା ବେଳେ ମନୁ ମେହେରା ଓ ଭୁପେଶ ଦାସ ଲିଫ୍‌ଲେଟ ଫିଙ୍ଗିଥିଲେ। ଜଣେ ନାବାଳକ ମଧ୍ୟ ଯାଇଥିବା ଜଣାଯାଇଛି। ଘଟଣା ପରେ ମନମୋହନ ପିସ୍ତଲ ତାଙ୍କ ଭାଇ ହୀରା ସିଂଙ୍କୁ ଦେଇଥିବା ବେଳେ ଅନ୍ୟ ଦୁଇଜଣ ପିସ୍ତଲ ଲୁଚାଇ ଦେଇଥିଲେ। ପୁଲିସ ତଦନ୍ତ କରି ଏମାନଙ୍କୁ ଗିରଫ କରିବା ସହିତ ପିସ୍ତଲ, ଗୁଳି ଓ ବାଇକ୍‌ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe