ବୌଦ୍ଧ ଡେପୁଟି କଲେକ୍ଟରଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ

ବୌଦ୍ଧ ଡେପୁଟି କଲେକ୍ଟରଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ

ଝାରସୁଗୁଡ଼ା: ବୌଦ୍ଧ ଜିଲ୍ଲାରେ ଡେପୁଟି କଳେକ୍ଟର ଥିବା ଶରତ ବାଗଙ୍କ ନାମରେ ତାଙ୍କ ପତ୍ନୀ ଦଲିଆ ଦେବନାଥ ଗତକାଲି ରାତିରେ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ଏତଲା ଦେଇଛନ୍ତି। ଏତଲାରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ବାମୀ ଓ ତାଙ୍କ କିଛି ସଂପର୍କିୟ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଇଥିବା ବେଳେ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।

ଦଲିଆ ଜଣାଇଛନ୍ତି ଯେ, ସେ ଝାରସୁଗୁଡ଼ା ଲହଣ୍ଡାବୁଡ଼ କଲ୍ୟାଣ ମଣ୍ଡପ ସମ୍ମୁଖରେ ରହୁଛନ୍ତି। ଗତକାଲି ସେ ବସଷ୍ଟାଣ୍ଡ ନିକଟରେ ତାଙ୍କ ସ୍ବାମୀ ଶରତଙ୍କୁ ଦେଖିଥିଲେ। ସେ ତାଙ୍କ କାର ଯୋଗେ ଯାଉଥିବା ବେଳେ ତାଙ୍କ ସହିତ ଜଣେ ଯୁବତୀ ଓ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେ କାରକୁ ପିଛା କରିଥିଲେ । ସେମାନେ ଏକ ମଦ ଦୋକାନରୁ ମଦ କିଣିବା ପରେ କୋଲାବିରା ଅନ୍ତ ଢ଼ାବାକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସେମାନେ ସେଠାରୁ ଫେରି ଯାନ୍ତ୍ରିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜଣଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ତାଙ୍କ ମୋବାଇଲ ସୁଟିଂ ମୋଡ଼ ଅନ୍ କରି ଭିତରକୁ ପଶିଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଏକ ଖଟରେ ଶୋଇଥିବା ବେଳେ ତାଙ୍କ ପାଖରେ ଉକ୍ତ ଯୁବତୀ ବସିଥିବା ଓ ପାଖରେ ତାଙ୍କ ସ୍ବାମୀଙ୍କ ଭାଇ ଓ ଅନ୍ୟମାନେ ଥିବା ଦେଖିଥିଲେ। ଏହାକୁ ସେ ପ୍ରତିବାଦ କରିବା ପରେ ସେଠାରେ ସମସ୍ତେ ତାଙ୍କୁ ବାଡ଼ି ଓ ଲୁହା ରଡ଼୍ରେ ମାଡ଼ ମାରିଥିବା ସହିତ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏଥିରେ ସେ ଭୟଭିତ ହୋଇ ସେଠାରୁ ଜୀବନ ରକ୍ଷା କରି କୌଣସି ପ୍ରକାରେ ଖସି ଆସିବାରେ ସମର୍ଥ ହୋଇଥିବା କହିଛନ୍ତି। ସେ ସେଠାରୁ ଏସ୍ପିଙ୍କ ଅଫିସକୁ ଯାଇ ମୌଖିକ ଓ ପରେ ବିଟିଏମ୍ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ମାମଲା ଗ୍ରହଣ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ୪୯୮(ଏ), ୩୨୩, ୨୯୪,୫୦୬, ୩୭୯, ୩୪ ଏବଂ ୨୫ /୨୭ ଆର୍ମ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହା ପୁରୁଣା ବିବାଦ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏପରି ୩ ଗୋଟି ମାମଲା ତଦନ୍ତାଧିନ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ତାଙ୍କ ପ୍ରତି ଷଢ଼ଯନ୍ତ୍ର ଚାଲିଥିବା ସଂପର୍କରେ ମହିଳାଙ୍କ ସ୍ବାମୀ ଶରତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe