NewsBytes
ଧର୍ମଗଡ଼ : ଚଳିତ ରେଳ ବଜେଟ୍ରେ ଧର୍ମଗଡ଼ବାସୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ବହୁ ପ୍ରତୀକ୍ଷିତ ଜୁନାଗଡ଼-ଧର୍ମଗଡ଼ ରେଳ ଲାଇନ୍ ସଂପ୍ରସାରଣ ନେଇ କୌଣସି ଅର୍ଥ ମଞ୍ଜୁର ହୋଇ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସାଂସଦ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ରେଳ ଲାଇନ୍ ପାଇଁ ୨ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ। ବର୍ତ୍ତମାନ ସେହି ରାଶି କାହା ଖାତାରେ ଜମା ହୋଇଛି ବୋଲି ଆଲୋଚନା ହେଉଛି।
କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଧର୍ମଗଡ଼ରେ ୨୦୨୧ ଡିସେମ୍ବରରେ ଏକ ପ୍ରେସମିଟ କରି ଜୁନାଗଡ଼-ଧର୍ମଗଡ଼ ରେଳ ଲାଇନ ସଂପ୍ରସାରଣ ସର୍ଭେ ଓ ସାଇଡ୍ ସିଲେକ୍ସନ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ୨ କୋଟି ୯୫ ଲକ୍ଷ ମଞ୍ଜୁର କରିଥିବା ସୂଚନା ଦେଇଥିଲେ। ଇତି ମଧ୍ୟରେ ଦୁଇ ଦୁଇଟି ବଜେଟ ପାରିତ ହୋଇ ସାରିଲାଣି। କିନ୍ତୁ ଜୁନାଗଡ଼-ଧର୍ମଗଡ଼ ରେଳ ଲାଇନ୍ ସଂପ୍ରସାରଣ ପାଇଁ ଅର୍ଥ ମଞ୍ଜୁର ନେଇ କୌଣସି ସୂଚନା ନାହିଁ।
ଦୀର୍ଘ ବର୍ଷ ହେଲା ଜୁନାଗଡ଼ -ଧର୍ମଗଡ ରେଳ ଲାଇନ ସଂପ୍ରସାରଣ ପାଇଁ ଦାବି ହୋଇ ଆସୁଛି। ୨୦୨୧ ଅଗଷ୍ଟରେ ବିଜେପି ପକ୍ଷରୁ ଆୟୋଜିତ ଜନ ଆଶୀର୍ବାଦ ଯାତ୍ରାରେ ଜୁନାଗଡ଼ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସହରବାସୀ ଦାବି ଉପସ୍ଥାପନ କରିଥିଲେ। ନିର୍ଭର ପ୍ରତିଶ୍ରୁତି ନହେଲେ ବି ମା ମାଣିକେଶ୍ବରୀଙ୍କ ଆଶୀର୍ବାଦ ହେଲେ ଦାବି ନିଶ୍ଚୟ ଫଳବତୀ ହେବ ବୋଲି ଶ୍ରୀ ବୈଷ୍ଣବ ସେବେ କହିଥିଲେ। ଏହାର କିଛି ମାସ ପରେ ଅର୍ଥାତ୍ ସେହି ବର୍ଷ ଡିସେମ୍ବରରେ କଳାହାଣ୍ଡି ସାଂସଦ ଧର୍ମଗଡ଼ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଉକ୍ତ ରେଳ ଲାଇନ୍ ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଗତ ମାସରେ ଛିଲିପା ଗ୍ରାମରେ ଆୟୋଜିତ ଗ୍ରାମ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବରେ ସାଂସଦ ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରୁ ଫେରିବା ସମୟରେ ଜୁନାଗଡ଼-ଧର୍ମଗଡ଼ ରେଲୱେ ଲାଇନ ସମ୍ପ୍ରସାରଣ ବିଷୟରେ ପ୍ରଶ୍ନ କରିବାରୁ ଏହି ବିଷୟରେ ରେଳ ମନ୍ତ୍ରଣାଳୟକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି କହିଥିଲେ। ତେବେ ବିଜେପିର କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ରେଳ ମନ୍ତ୍ରଣାଳୟକୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହଁ କି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
Follow Us