୫୦ ବର୍ଷ ହେଲା ଜୁନାଗଡ଼ ଏନଏସିରେ ଆଖି ଦୃଶିଆ ବିକାଶ ହୋଇନି

Advertisment

ଆଗକୁ ପୌର ନିର୍ବାଚନ, ବିଭିନ୍ନ ସମସ୍ୟା ନେଇ ଭୋଟର ସାମ୍ନା କରିବେ ରାଜନେତା

ଆଗକୁ ପୌର ନିର୍ବାଚନ, ବିଭିନ୍ନ ସମସ୍ୟା ନେଇ ଭୋଟର ସାମ୍ନା କରିବେ ରାଜନେତା

୫୦ ବର୍ଷ ହେଲା ଜୁନାଗଡ଼ ଏନଏସିରେ ଆଖି ଦୃଶିଆ ବିକାଶ ହୋଇନି

ଜୁନାଗଡ଼: ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ରାୟ ଏକବର୍ଷରୁ ଉର୍ଦ୍ଧ୍ବ ହେବ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ବାଚନ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିନାହାନ୍ତି । ଗତ କିଛି ମାସ ତଳେ ରାଜ୍ୟ ସରକାର ପୌରାଞ୍ଚଳ ମାନଙ୍କରେ ପ୍ରତ୍ୟକ୍ଷ ନିର୍ବାଚନ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ହେଲେ କରୋନା କଟକଣା ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ହୋଇପାରି ନାହିଁ । ବର୍ତ୍ତମାନ ପୌର ନିର୍ବାଚନ ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ସମୟ ସୀମା ଧାର୍ଯ୍ୟ କରିନାହାନ୍ତି । ଜୁନାଗଡ଼ ସହରରେ ୫୦ ବର୍ଷ ରେ ଆଖିଦୃଶିଆ ବିକାଶ ହୋଇନଥିବା ଯୋଗୁଁ ସବୁ ଦଳର ରାଜନେତା ଭୋଟରଙ୍କ ସାମ୍ନା କରିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ହଜାରେ ବର୍ଷର ବୋଲି କିମ୍ବଦନ୍ତୀ କହୁଥିବା ବେଳେ ଜୁନାଗଡ଼ ଏନଏସି ମଧ୍ୟ ସର୍ବ ପୁରାତନ ଅଟେ । ଜୁନାଗଡ଼ ଏନଏସି ୧୯୭୦ ମସିହା ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଜୁନାଗଡ଼ ଏନଏସି ୫୦ ବର୍ଷରେ ପଦାର୍ପଣ କରିସାରିଛି । ଏଠାରେ ୧୨ ଟି ୱାର୍ଡ ଥିବା ବେଳେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଭୋଟର ରହିଛି । କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଥିବା ମନ୍ଦିରମାଳିନୀ ସହର ଜୁନାଗଡ଼ ଦୀର୍ଘ ୫୦ ବର୍ଷ ଧରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ଆସୁଛି । ନିର୍ବାଚନ ବେଳେ ରାଜନେତା ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ନିର୍ବାଚନ ପରେ କାଁ ଭାଁ କିଛି କାର୍ଯ୍ୟକରୁଥିବା ବେଳେ ବିକାଶ ର ଏଜେଣ୍ଡାରୁ ଦୁରେଇ ଯାଉଛନ୍ତି।

ରାଜନୀତିର ପ୍ରଛଦ୍ଧପଟ ନାୟକ ମାନେ ବାହାସ୍ଫୋଟ ମାରୁଥିଲେ ହେଁ ଏକଦା କ୍ରମାଗତ ଭାବେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଜୁନାଗଡ଼ ଏନଏସି ପୂର୍ବଅସ୍ଥାକୁ ଫେରିବାକୁ ନିଜର ଅସ୍ଥିସ୍ତ୍ବ ଖୋଜୁୁୁଛି । ରାଜରାସ୍ତାରେ ଥିବା ଜୁନାଗଡ଼ ସହର ସମ୍ୟକ ଭାବେ ତାର ଚାକଚକ୍ୟକୁ ବାହାରେ ପ୍ରଦର୍ଶନ କରିବାରେ କିଞ୍ଚିତ ସଫଳ ହୋଇଥିଲେ ହେଁ, ସହରତଳି , ବନ୍ଧହୁଡା ଓ ବିଭିନ୍ନ ୱାର୍ଡ ର ଆଭ୍ୟନ୍ତରୀଣ ଅଞ୍ଚଳ ଏବେବି ଏନଏସିର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ୪୦ ହଜାର ବିଶିଷ୍ଟ ଜଳ ଯୋଗାଣ କ୍ଷମତା ଥିବା ବେଳେ ଆଜି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡର ଲୋକମାନେ ପାଣି ପାଇଁ ଡ଼ହଳ ବିକଳ ହେବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନାମରେ ନାମିତ ହୋଇଥିବା ବେଳେ ସର୍ବୋପରି ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ସୁଦୃଢ ହେବାରେ ଲାଗିଛି । ଅନ୍ୟପଟେ ଐତିହାସିକ ହଜାରେ ବର୍ଷର ଜୁନାଗଡ଼ ହାଇସ୍କୁଲ ଖେଳପଡିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ଯାହା କ୍ରୀଡାବିତ ମାନଙ୍କୁ ନିରୁତ୍ସାହିତ କରୁଛି ।

ଜୁନାଗଡ଼ ସହରରେ ନୂଆବସଷ୍ଟାଣ୍ଟ ଠାରେ ଗୋଟିଏ ମାତ୍ର ଶୌଚାଳୟ ଥିବା ବେଳେ ଆଉ କୌଣସି ଜାଗାରେ ନାହିଁ । ଯାହା ଫଳରେ ଅନ୍ୟ ରାଜ୍ୟ, ଜିଲ୍ଲା ତଥା ଅନ୍ୟ ବ୍ଲକ ର ଲୋକେ ଆସିଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜୁନାଗଡ଼ ସହରର ମାଲପଡା ରେ ପାଇପ ଜଳଯୋଗାଣ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି । ଜୁନାଗଡ଼ ସହରରେ ଥିବା ଟିସିପିସି ର ପୁନରୁଦ୍ଧାର ନହେବା ଯୋଗୁଁ ବେକାର ଯୁବକ ଯୁବତୀ ମାନେ ଆତ୍ମ ନିର୍ଭର ତାଲିମ ପାଇବାରୁ ବଞ୍ଚିତ ହେଉଛନ୍ତି । ଜୁନାଗଡ଼ ଠାରେ ବିଦ୍ୟୁତ ବିଭାଗର ନିର୍ବାହିଯନ୍ତ୍ରୀ କାର୍ଯ୍ୟାଳୟ ଭବାନୀପାଟଣା ଥିବା ଯୋଗୁଁ ବିଭିନ୍ନ ଅଭିଯୋଗ ପାଇଁ ଅସୁବିଧା ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘଦିନ ଧରି ଜୁନାଗଡ଼କୁ ୱେସ୍କୋ ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଦାବି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ । ସହରର ବିଭିନ୍ନ ସ୍ଥାନରେ ଇତସ୍ଥତ ଭାବରେ ପଡି ରହିଥିବା ବିଭିନ୍ନ ଐତିହାସିକ କୀର୍ତ୍ତିରାଜିକୁ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ସହର ମଧ୍ୟରେ ଜାତୀୟ ରାଜପଥ ୨୬ ଯାଇଥିବା ଯୋଗୁଁ ଭାରିଯାନ ଚଳାଚଳ ଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଦେଖା ଯାଉଛି । ଏହାକୁ ଦୃଷ୍ଟିରେ ରଖି ସହର ବାହାର ଦେଇ ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ ବାରମ୍ବାର ଦାବୀ କରାଯାଉଛି ।

ଜୁନାଗଡ଼ ଏନଏସି ପରିସରରେ ତତ୍କାଳୀନ ଉପଜିଲ୍ଲାପାଳ ଭି କାର୍ତ୍ତିକେୟ ପାଣ୍ଡିଆନ ପାଠାଗାରକୁ ଚାଲୁ ରଖିବା ଓ ନୂତନ ପାଠାଗାର ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ପାଠାଗାର ଗୃହ ନିର୍ମାଣ ହୋଇ ସେଠାରେ ଏନଏସି କାର୍ଯ୍ୟାଳୟ ଚାଲୁଥିବା ବେଳେ ପାଠାଗାର ବନ୍ଦ ଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଜୁନାଗଡ଼ ସହରରେ ଲୋକଙ୍କ ଚିତ୍ତ ବିନୋଦନ ପାଇ ତତ୍କାଳୀନ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟ ପାଣ୍ଡିଆନ ଶିଶୁ ଉଦ୍ୟାନ ନିର୍ମାଣ କରିଥିଲେ । ବର୍ତ୍ତମାନ ଶିଶୁ ଉଦ୍ୟାନ ଖତ ଖାଉଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ କୌଣସି ଆଗ୍ରହ ଦେଖା ଯାଉନାହଁ । ସହରରେ ଏକ ମାତ୍ର କାଞ୍ଜିହୁଦାକୁ ବନ୍ଦ କରିବା ଯୋଗୁଁ ବୁଲା ଗାଈ ଗୋରୁ ଜାତୀୟ ରାଜପଥ ଉପରେ ଚଳପ୍ରଚଳ କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି । ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଠା ବହୁ ପୁରୁଣା ହୋଇଥିଲେ ମଧ୍ୟ ନୂଆ କୋଠା ନିର୍ମାଣ ନେଇ ପଦକ୍ଷେପ ନିଆ ଯାଉନାହିଁ ।

ଜୁନାଗଡ଼ ସହରରେ ଥିବା ପରିବହନ ବିଭାଗର ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ମଧ୍ୟ ନାହିଁ । ଏହିଭଳି ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ରାଜନେତା ମାନଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସାଧାରଣ ଲୋକଙ୍କ ବିକାଶ ଅଣଦେଖା ହୋଇଛି । ୫୦ ବର୍ଷରେ ପାଦ ଦେଇଥିବା ଜୁନାଗଡ଼ ଏନଏସିରେ ଆଜି ପର୍ଯ୍ୟନ୍ତ ସେଭଳି ଆଖି ଦୃଶିଆ ବିକାଶ ହୋଇପାରି ନାହିଁ । ତେଣୁ ଆଗାମୀ ପୌର ନିର୍ବାଚନରେ ଏହି ସମସ୍ୟା ଗୁଡିକ ମୁଖ୍ୟ ନିର୍ବାଚନ ଇସ୍ୟୁ ହେବ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe