shutterstock.com
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସଂକ୍ରମଣ ଦ୍ରୁତଗତିରେ ତଳକୁ ଖସିବାରେ ଲାଗିଛି। ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଯାହା ଜିଲ୍ଲାବାସୀଙ୍କୁ ଆଶ୍ବସ୍ତ କରିଛି। ଅପ୍ରେଲ ଓ ମଇ ମାସରେ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେନ୍ଦ୍ରରୁ ରାଣୀବଗିଚା ସ୍ବର୍ଗଦ୍ବାରକୁ ଦାହ ସଂସ୍କାର ପାଇଁ ଆସିଥିବା ଶବ ସଂଖ୍ୟା ରେକର୍ଡ ଛୁଇଁଥିଲା। ଏପ୍ରିଲ ୧୪ ତାରିଖରୁ ମେ’ ମାସ ଶେଷ ଯାଏ ସ୍ବର୍ଗଦ୍ବାରରେ ୨୨୫ ମୃତକଙ୍କ ଶବ ସତ୍କାର କରାଯାଇଥିଲା।
କୋଭିଡ୍ ମାର୍ଗଦର୍ଶିକାରେ ଶ୍ମଶାନବନ୍ଧୁମାନେ ସମସ୍ତ ଶବର ଶେଷକୃତ୍ୟ ସମ୍ପନ୍ନ କରିଥିବାରୁ ୨୨୫ ଜଣ କୋଭିଡ୍ ସଂକ୍ରମଣରେ ହିଁ ପ୍ରାଣ ହରାଇଥିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଇଥିଲା। ତେବେ ଜୁନ ମାସ ପ୍ରଥମ ସପ୍ତାହ କିଛି ଆଶ୍ବସ୍ତି ଆଣିଦେଇଛି। ଦିନକୁ ୮ରୁ ୧୨ ଶବ ଦାହ କରୁଥିବା ଶ୍ମଶାନବନ୍ଧୁମାନେ ଜୁନ ପ୍ରଥମ ସପ୍ତାହରେ ମାତ୍ର ୯ଟି ଶବ ପୋଡ଼ିଛନ୍ତି। ଜୁନ୍ ୧ ତାରିଖ ଶୂନ୍, ୨ତାରିଖ ରେ ୪ଟି, ୩ ତାରିଖରେ ୧ଟି, ୪ତାରିଖରେ ୧ଟି, ୫ ତାରିଖରେ ୨ଟି, ୬ ତାରିଖରେ ଦୁଇଟି ଶବ ସତ୍କାର କରାଯାଇଥିବା ବେଳେ ୭ ଓ ୮ ତାରିଖରେ ଶବ ସଂଖ୍ୟା ଶୂନ ରହିଛି। ଆଗକୁ ଏ ଧାରା ଜାରି ରହି କରୋନା ମୂଳପୋଛ ହୋଇଯିବ ବୋଲି ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା ଆଶା ପ୍ରକାଶ କରିଛନ୍ତି।
Follow Us