ବିଶିଷ୍ଟ ଚିତ୍ରଶିଳ୍ପୀ କେ.ବାଳକ୍ରୀଷ୍ଣା ସରାଫଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ବିଶିଷ୍ଟ ଚିତ୍ରଶିଳ୍ପୀ କେ.ବାଳକ୍ରୀଷ୍ଣା ସରାଫଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ସୁପ୍ରତିଷ୍ଠିତ ବିଶିଷ୍ଟ ଚିତ୍ରଶିଳ୍ପୀ କେ.ବାଳକ୍ରୀଷ୍ଣା ସରାଫଙ୍କର ଗତକାଲି ବିଳମ୍ବିତ ରାତି ସାଢ଼େ ଗୋଟାଏ ବେଳେ ହୃଦଘାତରେ ହାଇଦ୍ରାବାଦରେ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। ତାଙ୍କ ନାତୁଣୀର ନିର୍ବନ୍ଧ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେ ଅଚାନକ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୁଣି ଅଚାନକ ଭାବେ ରାତିରେ ଗୁରୁତର ହେବା ପରେ ପୁଣି ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଜୟପୁର ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ସ୍ବର୍ଗତଃ ସିମାଦ୍ରୀ ମହାରାଣାଙ୍କ ସମୟରେ ଛାତ୍ର ରହିଥିଲେ। ଖଲ୍ଲିକୋଟ କଳା ମହାବିଦ୍ୟାଳୟରେ ପଢ଼ିଥିଲେ। ସେ ଏହା ପରେ ଜୟପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାମ କରି ଏଠାରେ ହିଁ ଅବସର ଗ୍ରହଣ କରିଥିଲେ।

ଦୈନିକ ବଜାର କମିଟି ଦ୍ବାରା ଆୟୋଜନ କରାଯାଉଥିବା ଗଣେଶ ପୂଜାର ଗଣେଶଙ୍କ ପ୍ରତିମୂର୍ତ୍ତି ଓ ଜୟପୁର ରାଜନଅରସ୍ଥ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଜୀବନ୍ତ ଭାବେ ପ୍ରତିବର୍ଷ ସେ ହିଁ ନିର୍ମାଣ କରି ଆସୁଥିଲେ। ଏହା ସୁନାରୀସାହିରେ ମଧ୍ୟ ପ୍ରତିବର୍ଷ ଗୋଟିଏ ଲେଖାଏଁ ଜୀବନ୍ତ ଗଣେଶ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରୁଥିଲେ। ବହୁ ବଣର ମଲ୍ଲୀ ଓ ଲୁକ୍କାୟିତ ପ୍ରତିଭାଙ୍କୁ ଚିତ୍ରକଳାକାର ହେବାକୁ ପ୍ରୋତ୍ସାହିତ କରି ମାର୍ଗଦର୍ଶନ ଦେବା ସହ ଶତାଧିକ ଛାତ୍ରଛାତ୍ରୀ ତାଙ୍କଠାରେ ପ୍ରଶିକ୍ଷଣ ନେଇଛନ୍ତି। ତାଙ୍କୁ ବିଭିନ୍ନ ଅନୁଷ୍ଠାନ, ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୟସର ସାୟାହ୍ନରେ ବି ସେ ହାର ନ ମାନି ଏବେ ବି ମୂର୍ତ୍ତି ତିଆରି ଏବଂ କଳା, କଳାକାରଙ୍କୁ ବାଟ ଦେଖାଇବା କାମରେ ମଗ୍ନ ରହିଥିଲେ। ଅଳ୍ପ ଦିନ ମଧ୍ୟରେ ହେବାକୁ ଥିବା ବିକ୍ରମ ଦେବ ଚାରୁ ଓ କାରୁ କଳା ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ମଧ୍ୟ ଧୁମଧାମରେ ପାଳନ କରିବା ପାଇଁ ସେ ମଙ୍ଗ ଧରିଥିଲେ।

ଆଜି ସଂଧ୍ୟାରେ ତାଙ୍କ ମରଶରୀର ସୁନାରୀସାହିସ୍ଥ ବାସଭବନରେ ପହଚିଂବା ଶତାଧିକ ଲୋକେ ଶେଷ ଦର୍ଶନ କରିଥିଲେ। ଶୋଭାଯାତ୍ରା କରି ମରଶରୀରକୁ ଜୟନଗରସ୍ଥ ଭୁତନାଥ ଶ୍ମଶାନକୁ ନେଇ ସମାଧି ଦିଆଯାଇଥିବା କହିଛନ୍ତି ତାଙ୍କ ଭାଇ କେ.ଇଶ୍ବର ସରାଫ। ସମାଧି ଦେବା ସମୟରେ ତାଙ୍କ ୨ପୁଅ, ପରିବାରର ସଦସ୍ୟ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜନଅର ମାଁ ଦୁର୍ଗା ପୂଜା କମିଟି, ଦୈନିକ ବଜାର ଗଣେଶ ପୂଜା ପରିଚାଳନା କମିଟି ପକ୍ଷରୁ ଶୋକ ପ୍ରକାଶ କରିବା ସହ ଉଭୟ ପୂଜା କମିଟି ନିଜର ଗୋଟିଏ ହାତ ହରାଇ ଥିବା କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେ ସ୍ବତନ୍ତ୍ର ସ୍ଥାନ ପାଇଥିଲେ। ତାଙ୍କ ମୃତ୍ୟୁ ଫଳରେ ଜଣେ ବର୍ଷିୟାନ ବିଶିଷ୍ଟ ଶିଳ୍ପୀ, ଜଣେ ମଣିଷ ପରି ମଣିଷକୁ ଆମେ ହରାଇଛୁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe