କୋରେଇ: ଗତକାଲିର କାଳବୈଶାଖୀ ଝଡ଼ତୋଫାନରେ କୋରେଇ ବ୍ଲକ୍ର ବହୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବ୍ଲକ୍ର ବନ୍ଦାଳୋ ପଞ୍ଚାୟତରେ ୬ ଜଣଙ୍କ ଛପର ଘର ଭାଙ୍ଗି ଯାଇଥିବା ବେଳେ ଜଣଙ୍କର ଆଜବେଷ୍ଟସ୍ ଉଡ଼ାଇ ନେଇଛି। ପଞ୍ଚାୟତର ବାଲିଆପାଳ ଗ୍ରାମରେ ଛୋଟା ଜେନା, ବଳରାମ ଦାସଙ୍କ ଛପର ଘର ଭାଙ୍ଗିଥିବା ବେଳେ ଗହ୍ମାରିଆ ଗ୍ରାମର ବିଜୟ ଖଟୁଆ, ବୁଲ ଦେଉରୀ, ଯମୁନାପାଟଣା ଗ୍ରାମର କଳାକାର ସାହୁ ଏବଂ କୁନି ସାହୁ, ରାଉତପଡ଼ା ଗ୍ରାମର ବନା ଜେନା, ମଠସାହି ଗ୍ରାମର ମାୟାଧର ଜେନାଙ୍କ ଘର କାଳବୈଶାଖୀରେ ଭାଙ୍ଗିଯାଇଛି।
କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ଜରିପାଲ ପ୍ରଦାନ କରିବା ସହିତ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ବନ୍ଦାଳୋ ପଞ୍ଚାୟତର ସରପଞ୍ଚ ବିଷ୍ଣୁଚରଣ ରଥ ଦାବି କରିଛନ୍ତି। ସେହିପରି ସ୍ଥାନୀୟ ଆରଆଇ ରଶ୍ମିତା ସେଠୀ ଆଜି କ୍ଷତିଗ୍ରସ୍ତ ଗ୍ରାମ ଗୁଡ଼ିକ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତିର ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯିବ ପରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ କି ନାହିଁ ସେନେଇ ସ୍ଥିର ହେବେ ବୋଲି ଆରଆଇ ଶ୍ରୀମତୀ ସେଠୀ କହିଛନ୍ତି।
Follow Us