ଲକ୍ଷ୍ମୀପ୍ରସାଦ: ଶୁକ୍ରବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାବଳସ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମର ବେଲାଳସେନ ବେହେରାଙ୍କ ବ୍ରଏଲର ଫାର୍ମର ସମସ୍ତ କାନ୍ଥ ଭାଙ୍ଗି ନଷ୍ଟ ହୋଇଛି। ବହୁକଷ୍ଟରେ ନିର୍ମାଣ କରିଥିବା ଫାର୍ମ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଥିବା ଦେଖିବାକୁ ମିଳିଛି। ବିପିଏଲ ଉପଭୋକ୍ତାଙ୍କ ପାଇଁ ସ୍ଥାପିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସମେତ ୬ଟି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି l ଫଳରେ ରାତିରୁ ହିଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଜୁଳି କଟିବାର ୧୬ ଘଣ୍ଟା ପରେ ବି ଏହା ସ୍ବାଭାବିକ ହୋଇ ପାରିନାହିଁ।
ବେଲାଳସେନଙ୍କ କ୍ଷତିଗ୍ରସ୍ତ ବ୍ରଏଲର ଫାର୍ମ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ମୁଣ୍ଡାପଡ଼ା ପଞ୍ଚାୟତ ଖମାରିପଡ଼ା ଗ୍ରାମର ବହୁ ପରିବାରଙ୍କ ଘର ଛପର ତଥା ଆଜବେଷ୍ଟସ ଭାଙ୍ଗି ନଷ୍ଟ ହୋଇଯାଇଛି। ସେହିପରି ଗ୍ରାମର ତ୍ରିପୁର ବେରିହାଙ୍କ ଘରର ନଡ଼ାଛପର ଉଡ଼ାଇ ନେଇ ଥିବାବେଳେ ଆଜବେଷ୍ଟସ ମଧ୍ୟ ଉଡ଼ାଇ ଫିଙ୍ଗି ଦେଇଛି। ଆନନ୍ଦପୁର ଗ୍ରାମର ଚନ୍ଦ୍ରଶେଖର ହୋତାଙ୍କ ଘର ଉପରେ ଆମ୍ବଗଛ ଭାଙ୍ଗିପଡ଼ିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଜୋରରେ ପବନ ବହିବାରୁ ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ପଦ୍ମନପୁର, ଖୁଣ୍ଟବନ୍ଧ, ମୁଣ୍ଡାପଡ଼ା ପଞ୍ଚାୟତରେ ଲୋକଙ୍କ ଘର ଏବଂ ଆଜବେଷ୍ଟସ ଭାଙ୍ଗି ଯାଇଛି। ତୁରନ୍ତ ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବାକୁ ଦାବି ହେଉଛି।
Follow Us