ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପକ୍ଷରୁ ଶୁକ୍ରବାର ମାଣିଙ୍ଗ ଛକ ନିକଟରେ ଚଢଉ କରି ପ୍ରାୟ ୩୯ କ୍ୱିଣ୍ଟାଲ ଗଞ୍ଜେଇ ସହ ଟ୍ରକ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଡ୍ରାଇଭର ଓ ହେଲପର ଗିରଫ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସେମିଳିଗୁଡ଼ାଠାରୁ ଉତ୍ତରପ୍ରଦେଶ କାନପୁର ଅଭିମୁଖେ ଅଦା ସହିତ ଗଞ୍ଜେଇ ବୋଝେଇ ଏକ ଟ୍ରକ (ଏମ୍ପି ୧୭ ଏଚ୍ଏଚ୍ ୧୦୫୩) ଯାଉଥିଲା। ଖବର ପାଇ ସଦର ଥାନାର ଆଇଆଇସି ପ୍ରଦୀପ ଧରୁଆ ଓ ଏସ୍ଆଇ ଲିଙ୍ଗରାଜ ସେଠୀ ମାଣିଙ୍ଗ ଛକ ନିକଟରେ ଟ୍ରକକୁ ଧରିଥିଲେ।
ଏଥିରେ ଅଦା ସହିତ ୩୮ କ୍ୱିଣ୍ଟାଲ ୯୪ କେଜି ୨୪୫ ଗ୍ରାମ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ରୁକ୍ମଣ ମେହେରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଥିଲା। ପୁଲିସ ପକ୍ଷରୁ ଟ୍ରକ ଓ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଉତ୍ତରପ୍ରଦେଶ ଜାମନାରାର ଇରଫାନ ଖାନ(୨୬) ଓ ହେଲପର ମୟିଉଦ୍ଧିନ(୩୦)ଙ୍କୁ ଗିରଫ କରାଯାଇଛି। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ। ଘଟଣାସ୍ଥଳରେ ପୁଲିସ ଏସ୍ଡିପିଓ ବିରଞ୍ଚି ନାରାୟଣ ଦେହୁରୀ, ଏଏସ୍ଆଇ ବୀରବନ୍ଧୁ ସେଠୀ, ଚନ୍ଦ୍ରହାସ୍ୟ ସାହୁ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏ ନେଇ ଏକ ମାମଲା ରୁଜୁ ହୋଇଛି। ଏସ୍ଆଇ ଲିଙ୍ଗରାଜ ସେଠୀ ଏହାର ତଦନ୍ତ କରୁଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/03/kld24.jpg)