ରୁପ୍ରା: କଳାହାଣ୍ଡିଜିଲ୍ଲା ଭବାନୀପାଟଣାରୁ ଭାୟା ଛତିକୁଡା ଛକ ଦେଇ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟା ସମୟରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ରାସ୍ତା ଉପରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣରେ ଟ୍ୟାଙ୍କରର ଚାଳକ ଗୁରୁତର ହୋଇଛନ୍ତି।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣା ଏତେ ଜୋର ଥିଲା ଯେ, ଗ୍ୟାସ ଟ୍ୟାଙ୍କର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୂରମାର ହୋଇଥିଲା। ରାସ୍ତା ଜାମ୍ ହେବାସହ ସୁରକ୍ଷା ଦୃଷ୍ଟିରୁ ପ୍ରସାଶନ ଉକ୍ତ ରାସ୍ତାକୁ ବନ୍ଦ କରିଥିଲା। ଗୁରୁତର ଡ୍ରାଇଭରକୁ ଉଦ୍ଧାରକରି ଏକ ପିକ୍ଅପ୍ ଯୋଗେ ଡାକ୍ତରଖାନା ପଠାଯାଇଥିଲା। ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଗ୍ୟାସ ବୋଝେଇ କରି ବଲାଙ୍ଗୀର ଯାଉଥିଲା।
ତୁରନ୍ତ ପହଞ୍ଚିଲା ପ୍ରଶାସନ
ଟ୍ୟାଙ୍କର ଓଲଟି ପଡ଼ିଥିବାବେଳେ ଗ୍ୟାସ୍ ନିର୍ଗତ ହେବା ଆଶଙ୍କା ସୃଷ୍ଟି ହେବାରୁ ନର୍ଲା ଅଗ୍ନିଶମ ବିଭାଗ, ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ବେଦନଶୀଳ ଥିବାରୁ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ନର୍ଲା ଅତିରିକ୍ତ ତହସିଲଦାର ଅମର ପରାସେଠ, ଫାୟାର୍ ଅଫିସର ତ୍ରିନାଥ ଭୋଇଙ୍କ ସମେତ ଗ୍ୟାସ୍ ସେଫଟି ବିଭାଗ ଓ ଜିଲ୍ଲା ପରିବହନ ବିଭାଗ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।
ଆହୁରି ପଢ଼ନ୍ତୁ: Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା
ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି
ଟ୍ୟାଙ୍କରରେ ଅତି ଦହନଶୀଳ ଏଲପିଜି ଗ୍ୟାସ୍ ଥିବା ଓ ଏହା ନିର୍ଗତ ହେବା ଆଶଙ୍କା ଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଥିଲା ପ୍ରଶାସନ। ଫଳରେ ଭବାନୀପାଟଣା-ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ-ସିକେରକୁପା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ ହୋଇଯାଇଛି। ଘଟଣା ସମ୍ପର୍କରେ ପୁଲିସ ଓ ପ୍ରଶାସନ ତୀକ୍ଷଣ ନଜର ରଖିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହେଉଥିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।
ଆହୁରି ପଢ଼ନ୍ତୁ: Markets opened in Bargarh, Sambalpur: ବରଗଡ଼, ସମ୍ବଲପୁରରେ ମଣ୍ଡି ଖୋଲିଲା: କଳାହାଣ୍ଡିରେ ଆଜି ଖୋଲିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/10/rupra-2025-12-10-22-03-08.jpg)