କୋକସରା: ଦାଦନ ଖଟିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କୋକସରା ବ୍ଲକ ଆମପାଣି ଥାନା ସାନ ପୋଡ଼ାଗୁଡା ପଞ୍ଚାୟତର କଲୋନିପଡ଼ାର କୃତିକ ମାଝୀ ଗତ ବର୍ଷ ଅକ୍ଟୋବର ମାସରେ ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଦାଦନ ସର୍ଦ୍ଦାରର ପ୍ରଲୋଭନରେ ପଡି ବିଜୟୱାଡା ନିକଟରେ ଥିବା ମଲ୍ଲାବରମର ଏକ ଇଟାଭାଟିରେ ଶ୍ରମିକ ଭାବେ କାମରେ ନିୟୋଜିତ ରହିଥିଲେ।
ତେବେ ଶନିବାର ଅପରାହ୍ନରେ ହଠାତ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ବିଜୟୱାଡ଼ାର ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ପରେ ସାଙ୍ଗରେ ଥିବା ମୃତକଙ୍କ ସାନ ଭାଇ ରାଜ ମାଝୀ ଏକ ଆମ୍ବୁଲାନ୍ସରେ ଭାଇଙ୍କ ଶବକୁ ନେଇ ଆଜି ସକାଳେ ଗାଁରେ ପହଞ୍ଚିଥିଲେ। ତେବେ ସାନ ଭାଇଙ୍କର ପରିବାରକୁ ଇଟାଭାଟି ମାଲିକ ବନ୍ଧକ ରଖିଥିବା ମଧ୍ୟ ସୂଚନା ମିଳିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି।
Follow Us