ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥ ରାୟଗଡ଼ାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ରାସ୍ତାର ପୋଖରିବନ୍ଧ ନିକଟରେ ଏକ ମାଲବାହୀ ବଙ୍କର ଚାପାରେ ୧୩ ବର୍ଷ ନାବାଳିକାର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ପୋଖରିବନ୍ଧ ଗାଁର ବଲ୍ଲଭ କରୁଆଙ୍କ ପ୍ରିୟଙ୍କା କରୁଆଁ (୧୩) ନିଜ ବଡ଼ବାପା ଘରକୁ ଯାଇ ଫେରୁଥିବା ବେଳେ ରାୟଗଡ଼ାରୁ ଭବାନୀପାଟଣା ଅଭିମୁଖେ ଦ୍ରୁତଗତିରେ ଯାଉଥିବା ମାଲବାହୀ ବଙ୍କର (ଓଡି ୧୭ ଏନ ୫୨୯୨) ଚାପାରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା।
ଗ୍ରାମବାସୀ ନାବାଳିକାର ଶବ ରଖି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଇଥିଲେ। ଅନ୍ୟ ପକ୍ଷରେ ନାବାଳିକାର ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଅଡ଼ିବସିଥିଲେ। ଘଟଣାସ୍ଥଳରେ ବିଶ୍ଵନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ନିଜ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ରାସ୍ତାରୋକ ହଟିଥିଲା।
Follow Us