କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ୱର ଉଦ୍ୟାନବନ୍ଧ ଗ୍ରାମରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ବୁଧବାର ରାତିରେ ଡକାୟତି ଉଦ୍ୟମ ହୋଇଥିବା କୋମନା ଥାନାରେ ଅଭିଯୋଗ ହୋଇଛି। ବୁଧବାର ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ପଛଆଡ଼ୁ ଗ୍ୟାସକଟର ସାହାଯ୍ୟରେ ଗେଟର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗିବା ସହ ଷ୍ଟ୍ରଙ୍ଗରୁମ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବା ପରେ ସେମାନେ ଫେରାର ମାରିଥିବା ଦେଖାଯାଇଛି।
ଗୁରୁବାର ସକାଳୁ ବ୍ୟାଙ୍କ ଖୋଲିବା ପରେ ପଛଆଡ଼ ତାଲା ଭଙ୍ଗା ଯାଇଥିବା ଦେଖି ଶାଖା ପରିଚାଳକ କିଶୋରଚନ୍ଦ୍ର ପାଣିଗ୍ରାହୀ କୋମନା ଥାନାରେ ଅଭିଯୋଗ କରିଥିଲେ। ଏସ୍ଡିପିଓ ତପନ ମହାନନ୍ଦ, ଆଇଆଇସି ଶଲ୍ୟ ନାଏକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରକାଶଥାଉକି କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟରେ ମଧ୍ୟ କିଛି ବର୍ଷ ତଳେ ଡକାୟତି ଉଦ୍ୟମ ହୋଇଥିଲା। ସେହିପରି କୁରେଶ୍ୱର ଉଦ୍ୟାନବନ୍ଧ ଗ୍ରାମରେ ଦୁଇଟି ମୋବାଇଲ୍ ଦୋକାନ ସହିତ ଏକ ଘରେ ଡକାୟତି ହୋଇଥିବା ଘଟଣାରେ କୋମନା ପୁଲିସ ତଦନ୍ତ କରି ଦୁର୍ବୃତ୍ତମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
Follow Us