Advertisment

ଦକ୍ଷିଣ କେନାଲ ଚାଷୀଙ୍କ ଧାରଣା ଦ୍ୱିତୀୟ ଦିନରେ

Advertisment
ଦକ୍ଷିଣ କେନାଲ ଚାଷୀଙ୍କ ଧାରଣା ଦ୍ୱିତୀୟ ଦିନରେ

ଜୟପାଟଣା: ଚାଷୀଙ୍କୁ ନେଇ ସରକାରମାନେ ସବୁବେଳେ ଖେଳ ଖେଳି ଆସୁଥିବା ବେଳେ ଏବେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ଦକ୍ଷିଣ ମୁଖ୍ୟ କେନାଲ ପରିସରରେ ଆସୁଥିବା ୨୬,୦୦୦ ହେକ୍ଟର ଅଞ୍ଚଳର ଚାଷୀ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। କେନାଲ ଲାଇନିଂ ଓ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ ନାମରେ ଗତି ୩ ବର୍ଷ ଧରି ବ୍ୟବସ୍ଥାକୁ ନେଇ ଚାଷୀ ହତାଶ ହେବା ପରେ ଏବେ ମୁଖିଗୁଡ଼ାସ୍ଥିତ ଦକ୍ଷିଣ ମୁଖ୍ୟ କେନାଲ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଫାଟକ ସାମନାରେ ଧାରଣାରେ ଦିନତମାମ ବସି ରହୁଥିବା ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ଦକ୍ଷିଣ ମୁଖ୍ୟ କେନାଲର ୮୪ କିଲୋମିଟର ସମ୍ପୂର୍ଣ୍ଣ ଲାଇନିଂ ପାଇଁ ସରକାର ଯୋଜନା ମୁତାବକ ଟେଣ୍ଡର ଆହ୍ଵାନ କରିଥିଲେ। ବିଗତ ବର୍ଷମାନଙ୍କରେ ଦୁଇଥର ଟେଣ୍ଡର ପ୍ରକ୍ରିୟା ବାତିଲ ହେବା ପରେ ତୃତୀୟ ଥର ପାଇଁ ଟେଣ୍ଡର ଆହ୍ଵାନ କରାଯାଇ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ୩୩୧ କୋଟି ଟଙ୍କାର କେନାଲ କାମ ପାଇଁ କ୍ୟାବିନେଟ ମଞ୍ଜୁରୀ ଆବଶ୍ୟକ ପଡୁଥିବା ବେଳେ ସେହି ଖିଅରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର ଓ ଜୁନାଗଡ଼ ବ୍ଲକ୍‌ ଅଞ୍ଚଳର ହଜାର ହଜାର ଚାଷୀଙ୍କ ଭାଗ୍ୟ ଓ ଅର୍ଥନୀତି ଅଟକି ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ଗତ ନଭେମ୍ବର ମାସରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାମ ମୁଖ୍ୟ କେନାଲର ୩୨,୦୦୦ ହେକ୍ଟର ଜଳସେଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନ ବନ୍ଦ କରଯାଇ କେନାଲ ମରାମତିର ବାହାନା ଦେଖେଇ ଦିଆଗଲା। ଅଦ୍ୟାବଧି ଚାଷୀଙ୍କ ପାଇଁ କୌଣସି ଘୋଷଣା କିମ୍ବା ସରକାରୀ ବିଜ୍ଞପ୍ତି ପ୍ରକାଶ କରି ନ ଥିବାରୁ ଚାଷୀ ବର୍ତ୍ତମାନ ସୁଦ୍ଧା ଅନ୍ଧାରରେ ଗତି କରୁଥିବା ପ୍ରକାଶ କରନ୍ତି। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳର ଚାଷୀ ତ୍ରିଶଙ୍କୁ ଅବସ୍ଥାରେ ଗତି କରୁଛନ୍ତି। ଏବେ ଚାଷୀମାନେ ଡାଲି ଜାତୀୟ ଫସଲ କରିବାରେ ମଧ୍ୟ ବିଫଳ ହୋଇଥିବା ବେଳେ ଏବେ ବିଳମ୍ବିତ ଜଳ ସେଚନକୁ ଅପେକ୍ଷା କରି ବସିଛନ୍ତି। ଏପରିସ୍ଥଳେ ନେତା, ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ସମସ୍ତେ ମିଶି ଚାଷୀଙ୍କ ଠାରୁ ଦୂରତା ଅବଲମ୍ବନ କରିବା ଶ୍ରେୟ ମନେ କରୁଥିବା ଅଭିଯୋଗ ହେଉଛି। ଏସବୁର ପୂର୍ବାନୁମାନ କରି ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା।
ମୁଖିଗୁଡ଼ାଠାରେ ଶହଶହ କଲମପୁର ଓ ଜୟପାଟଣା ବ୍ଲକ୍‌ ଚାଷୀ ଫାଟକ ସାମନାରେ ଧାରଣାରେ ବସି ରହିଥିଲେ ମଧ୍ୟ ଅଧିକାରୀ ଶୂନ୍ୟ ମୁଖିଗୁଡ଼ାରେ ଚାଷୀଙ୍କୁ ସହାନୁଭୂତି ଦେବା ପାଇଁ ମଧ୍ୟ କେହି ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଗଡ଼ ବିଧାୟକଙ୍କୁ ଚାଷୀଙ୍କ ସମସ୍ୟା ସଂପର୍କରେ ଅବଗତ କରିବାରୁ ୨୦ କିଲୋମିଟର ପାଣି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଟେଲିଫୋନ ଯୋଗେ ପ୍ରକାଶ କରିଥିଲେ। ପୁନଶ୍ଚ କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ପଚାରିବାରୁ ମୁଁ ଜଳ ସମ୍ପଦ ସଚିବଙ୍କୁ ଏ ସଂପର୍କରେ ଜଣାଇବି ବୋଲି କହିଥିଲେ। ଅନ୍ୟପକ୍ଷେ ଦକ୍ଷିଣ କେନାଲ ଉପରେ ସରକାରୀ ବିଜ୍ଞପ୍ତି ପ୍ରକାଶ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିପିନ୍‌ ପ୍ରଧାନୀ, ନରେନ୍ଦ୍ର ବେହେରା, ସୁବୋଧ ଖମାରୀ, ପବନ ମାଝୀ, ସହଦେବ ରାଉତ, ପୂର୍ଣ୍ଣ ପାତ୍ର, ସୁନୀଲ ରାଉତ, ତାନ୍ତିଆ ତେଲଗୁ, ରାମ ବାବୁ, ପ୍ରବିର ପଣ୍ଡା, ବାବୁଲା ପଣ୍ଡା, ଟିଲୁ ଯୋଷୀ, ସ୍ୱରାଜ ପଣ୍ଡା, ପିଙ୍କୁ ପଣ୍ଡା, ଡମ୍ବରୁ ମାଝୀ, ରୁଦ୍ର ପ୍ରଧାନୀ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe