ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ବାଟରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ବାଟରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

ଜୟପାଟଣା/ କୋକସରା: ରାସ୍ତା ନ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ। ୫ କିମି ଖଟିଆରେ ବୁହା ହେଲା ପରେ ମଝି ରାସ୍ତାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଧନସୁଲି ପଞ୍ଚାୟତର ନଳାଚୂଆଁ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୋମବାର ସକାଳ ୭ଟାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ନଳାଚୁଆଁ ଗାଁର ଶୁକ୍ରୀ ଯାନୀ (୩୦)ଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏ ନେଇ ଗାଁ ଲୋକେ ଜନନୀ ସୁରକ୍ଷା ଗାଡ଼ିକୁ ଖବର ଦେଇଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୫ କିମି ଦୂର ବାଙ୍ଗଟିସାହାଜ୍ ଗାଁ ପାଖରେ ଗାଡ଼ି ଅଟକି ରହିଥିଲା। କୌଣସି ଉପାୟ ନପାଇ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଗ୍ରାମବାସୀଙ୍କ ସହ ଏକ ଖଟିଆରେ ବୋହି ଶୁକ୍ରୀ ଆଣୁଥିଲେ। ହେଲେ ଶୁକ୍ରୀଙ୍କ ପ୍ରସବ ବେଦନା ଅଧିକରୁ ମଝିରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଖବର ପାଇ ଧନସୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏଏନ୍‌ଏମ୍‌ ଚନ୍ଦ୍ରକାନ୍ତି ମାଝୀ ଓ ଆଶା କର୍ମୀ ତୁଳସା ନାଏକ ପହଞ୍ଚି ଥିଲେ। ତେବେ ମା’ ପୁଅ ସୁସ୍ଥ ଥିବା ଜଣାପଡ଼ିଛି। ପରେ ମା’ ଓ ପୁଅଙ୍କୁ ଜନନୀ ସୁରକ୍ଷା ଗାଡ଼ିରେ ଆଣି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭତ୍ତି କରାଯାଇଛି।
ଜୟପାଟଣା ବ୍ଲକ୍‌ରେ ବିଗତ ଦିନରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଏହି ଅଞ୍ଚଳ ପ୍ରତି ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ଏନେଇ ଜୟପାଟଣା ବିଡିଓ ଧର୍ମରାଜ ମାଝୀଙ୍କୁ ପଚାରିବାରୁ, ‘ମୁଁ ନୂଆ କରି ଯୋଗ ଦେଇଛି, କ୍ଷେତ୍ର ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନେବି’ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe