୨୭ ଲକ୍ଷ ଟଙ୍କା ଆତ୍ମସାତ ମାମଲା: କଲ୍ୟାଣସିଂହପୁର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

Advertisment
୨୭ ଲକ୍ଷ ଟଙ୍କା ଆତ୍ମସାତ ମାମଲା: କଲ୍ୟାଣସିଂହପୁର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା: ସରକାରୀ ଅର୍ଥ ଆତ୍ମସାତ ମାମଲାରେ ରାୟଗଡ଼ା ଭିଜିଲାନ୍‌ସ ଟିମ୍‌ କଲ୍ୟାଣସିଂହପୁର ପଞ୍ଚାୟତର ପିଇଓ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ବରେ ଏକ ଟିମ୍‌ ରାୟଗଡ଼ାର ଏକ ସ୍ଥାନରେ ଚଢ଼ଉ କରି ଶ୍ରୀ ମାଣ୍ଡାଙ୍ଗିଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ପିଇଓ ଶ୍ରୀ ମାଣ୍ଡାଙ୍ଗି ହିତାଧିକାରୀଙ୍କ ୨୭ଲକ୍ଷ ୫୦ ହଜାର ୮୦୦ ଟଙ୍କା ଆତ୍ମସାତ କରିଥିବା ତଦନ୍ତ ପରେ ଭିଜିଲାନ୍‌ସ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ଏବଂ ପାର୍ସାଲି ପଞ୍ଚାୟତର ୬୬୧ରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଟଙ୍କା ମିଳିନଥିବା ନେଇ ଗତ ଦିନରେ ବହୁବାର ଅଭିଯୋଗ ହୋଇଥିଲା। କଲ୍ୟାଣସିଂହପୁର ପଞ୍ଚାୟତର ପିଇଓ ପ୍ରଦୀପ କୁମାର ମାଣ୍ଡାଙ୍ଗି ଉଭୟ ପଞ୍ଚାୟତ ଦାୟିତ୍ବରେ ଥିବାରୁ ବ୍ଲକରୁ ହିତାଧିକାରୀଙ୍କ ଭତ୍ତା ବାବଦକୁ ଟଙ୍କା ନେଉଥିଲେ ମଧ୍ୟ ଶତାଧିକ ହିତାଧିକାରୀଙ୍କୁ ୩ରୁ ୭ ମାସର ଭତ୍ତା ଟଙ୍କା ନଦେଇ ଆତ୍ମସାତ କରିଥିବା ନେଇ ହିତାଧିକାରୀମାନେ ଗତ ଦିନରେ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରିବା ପାଇଁ ବିଡିଓ ତାପସ କୁମାର ଭୋଇ ନିର୍ଦ୍ଦେଶ ଦେଇଥିଲେ। ପରେ ଜିପିଇଓ ମାନସ ରଞ୍ଜନ ପ୍ରଧାନ ଓ ଏସ୍‌ସିଓ ହିତାଧିକାରୀଙ୍କୁ କିଛି ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ଅନ୍ୟପଟେ ଭିଜିଲାନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନଥିପତ୍ର ଜବତ କରି ଯାଞ୍ଚ ପାଇଁ ନେଇଥିଲେ। ଅନ୍ୟପଟେ ଶୀଘ୍ର ହିତାଧିକାରୀଙ୍କ ଭଙ୍କା ଟଙ୍କା ପ୍ରଦାନ କରିବା ପାଇଁ ବିଡିଓ ଶ୍ରୀ ଭୋଇ ପିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ନଚେତ୍‌ ସଂପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଜଣାଇଥିଲେ। ଏଥିସହ ବିଡିଓ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ସପ୍ତାହକ ତଳେ ଆରଡିସି ବ୍ଲକରେ ସମୀକ୍ଷା କରିବା ସମୟରେ ସମସ୍ତଙ୍କୁ ଡାକି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିବା ସହିତ ପାର୍ସାଲି ଏବଂ କଲ୍ୟାଣସିଂହପୁର ପଞ୍ଚାୟତର ଭତ୍ତା ଟଙ୍କା ଆତ୍ମସାତ୍‌ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ରାୟଗଡ଼ା ଭିଜିଲାନ୍‌ସ ଟିମ୍‌ ପିଇଓ ଶ୍ରୀ ମାଣ୍ଡାଙ୍ଗିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe