ସହଯୋଗର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ

Advertisment
ସହଯୋଗର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ

Sambad

ମହାକାଳପଡା: ଓଡ଼ିଶା ମୋ ପରିବାର ସହଯୋଗରେ ମଙ୍ଗଳପୁର ପଂଚାୟତ କୁମାରପଡା ଗ୍ରାମର ମାଗୁଣୀ ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ ମୃତଦେହ ଶ୍ରୀଲଙ୍କାରୁ ଫେରିଛି। ଗତ ୪ବର୍ଷ ତଳେ ସେ କାମ ଅନ୍ବେଷଣରେ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋସ୍ଥିତ ଏକ ଷ୍ଟିଲ୍‌ କମ୍ପାନିରେ ମାସକୁ ୧୬ ହଜାର ଟଙ୍କା ଦରମାରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୧୫ ତାରିଖ ଗୁରୁବାର ଦିନ ସେଠାରେ କମଳାକାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କୁ ନେଇଥିବା ଠିକାଦାରଙ୍କ ନିକଟକୁ ଏକ ଫୋନ କଲ୍‌ ଆସିଥିଲା। ଠିକାଦାରଙ୍କଠାରୁ ଏହି ସୂଚନା ପାଇ କମଳାକାନ୍ତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସେମାନେ ହତାଶା ଭିତରକୁ ଠେଲି ହୋଇଯାଇଛନ୍ତି। ପୁଅ କେମିତି ମୃତ୍ୟୁବରଣ କଲା ଓ ମୃତଦେହ କିପରି ଓଡିଶା ଆସିବ ସେ ନେଇ ସେମାନେ କଲୋମ୍ବୋସ୍ଥିତ ଭାରତୀୟ ଦୂତାବାସ ସହ ସ୍ଥାନୀୟ ଥାନା ଓ କେନ୍ଦ୍ରାପଡା ଏସ୍‌ପିଙ୍କ ନିକଟରେ ଗୁହାରି କରିଥିଲେ।

ପୁଅର ମୃତ୍ୟୁ ଖବର ପାଇବା ଦିନଠାରୁ ଘରେ ଚୂଲି ଜଳି ନ ଥିବା ବେଳେ ମୃତଦେହ କିପରି ବିଦେଶରୁ ଆସିବ ସେ ନେଇ ଚିନ୍ତାରେ ପଡିଥିଲେ। ତେବେ ଓଡ଼ିଶା ମୋ ପରିବାର ସହଯୋଗ ଓ କମଳାକାନ୍ତ କାର୍ଯ୍ୟ କରୁଥିବା ଷ୍ଟିଲ୍‌ କମ୍ପାନି ସହାୟତାରେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା। ମନ୍ତ୍ରୀ ତଥା ଓଡିଶା ମୋ ପରିବାରର ସହ ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ସୁରେନ୍ଦ୍ରନାଥ ମହାପାତ୍ର ଓ ଓଡିଶା ମୋ ପରିବାରର ଏକ ଟିମ୍‌ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରି ନିଜ ଗାଁ କୁମାରପଡାକୁ ପଠାଇବାର ବନ୍ଦୋବସ୍ତ କରିଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ କମଳାକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe