ଭଲ ଖବର : ରାଜ୍ୟ ପାଇଁ ଗୌରବ ଆଣିଲେ ଆଦିବାସୀ ଝିଅ ଝୁଲିମା, ପାଇଲେ ଜାତୀୟ ଜନକ ଭି-ଆୱାର୍ଡ

Advertisment
ଭଲ ଖବର : ରାଜ୍ୟ ପାଇଁ ଗୌରବ ଆଣିଲେ ଆଦିବାସୀ ଝିଅ ଝୁଲିମା, ପାଇଲେ ଜାତୀୟ ଜନକ ଭି-ଆୱାର୍ଡ

ଫୁଲବାଣୀ: ଆଜି ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ  ଦିବସ। ଏହି ଦିବସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କନ୍ଧମାଳ ଆଦିବାସୀ ଝିଅ ଝୁଲିମା। ସମଗ୍ର ଦେଶରେ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ୧୦ ଜଣଙ୍କୁ ଜାତୀୟ ଜନକ ଭି-ଆୱାର୍ଡ ମିଳିଛି। ସେଥି ମଧ୍ୟରେ ଅଛନ୍ତି  ଓଡ଼ିଆ ଝିଅ ଝୁଲିମା।

ନୂଆଦିଲ୍ଲୀ ୟୁ ଏନ ହାଉସଠାରେ ମଙ୍ଗଳବାର ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସରେ ଝୁଲିମାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। କେ.ନୂଆଗାଁ ବ୍ଳକ ବାନ୍ଦୁଡି ଗାଁର ଝୁଲିମା ମଲ୍ଲିକ ୨୦୧୬ ମସିହାରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍ ଦି ଚିଲଡ୍ରେନରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ।  ବାଲ୍ୟ ବିବାହ ହେଉ କି ବାଳିକା ଶିକ୍ଷାର ପ୍ରସାର, ସଂଗଠନର ସବୁ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ସେ।  ଏମିତି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିବା ଦିଗରେ ଝୁଲିମା କାର୍ଯ୍ୟ କରି ଆସୁଛନ୍ତି।

କିଶୋରୀ ବାଳିକାମାନଙ୍କୁ ସଚେତନ କରିବା ସହ ଶିଶୁ ଅଧିକାର ଦିଗରେ ସେ କାର୍ଯ୍ୟ କରିଛନ୍ତି । ସେ ନିଜର ବାଲ୍ୟ ବିବାହକୁ ରୋକିବା ସହ ଆଜି ସୁଦ୍ଧା ନିଜ ଉଦ୍ୟମରେ ଜିଲ୍ଲାରେ ୧୨ଟି ବାଲ୍ୟ ବିବାହ ବନ୍ଦ କରିଛନ୍ତି। ସେ କେ.ନୂଆ ଗାଁ ଅନନ୍ୟା ବାଳିକା ମହାସଂଘର ସଭାନେତ୍ରୀ ଅଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ କନ୍ଧମାଳକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ଝୁଲିମା କହିଛନ୍ତି। ଏମିତି କି ସୁଯୋଗ ଆସିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରିବେ ବୋଲି ସେ କହିଛନ୍ତି।

ଝୁଲିମା ଜାତୀୟ ସମ୍ମାନଜନକ ଆୱାର୍ଡ ପାଇଥିବାରୁ ତାଙ୍କୁ ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ ଓ ସେଭ ଦି ଚିଲଡ୍ରେନ ଜିଲ୍ଲା ସଂଯୋଜକ ମନୋଜ କୁମାର ମିଶ୍ର ଅଭିନନ୍ଦନ ଜଣାଇଛନ୍ତି। ଏଥି ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ପ୍ରମୁଖ ବ୍ୟକ୍ତି ବିଶେଷ ଝୁଲିମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି। ସ୍ବେଚ୍ଛାସେବୀ କାର୍ଯ୍ୟ ପାଇଁ ଆଗାମୀ ଦିନରେ ଝୁଲିମାଙ୍କୁ ସଂଗଠନ ପକ୍ଷରୁ ସବୁ ପ୍ରକାର ସହଯୋଗ ରହିବ ବୋଲି ଇଂ ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe