ଭଲ ଖବର: ‘କନ୍ଧମାଳ ଫ୍ରେସ୍‌’ରେ ବିକ୍ରି ହେବ ବନଜାତ ଦ୍ରବ୍ୟ, ପନିପରିବା ବିକ୍ରି ଆରମ୍ଭ, ଉପକୃତ ହେବେ ସ୍ଥାନୀୟ ଚାଷୀ-ଅଧିବାସୀ

Advertisment
ଭଲ ଖବର: ‘କନ୍ଧମାଳ ଫ୍ରେସ୍‌’ରେ ବିକ୍ରି ହେବ ବନଜାତ ଦ୍ରବ୍ୟ, ପନିପରିବା ବିକ୍ରି ଆରମ୍ଭ, ଉପକୃତ ହେବେ ସ୍ଥାନୀୟ ଚାଷୀ-ଅଧିବାସୀ

ଘୁ.ଉଦୟଗିରି: ‘କନ୍ଧମାଳ ଫ୍ରେସ୍‌’ରେ ବନଜାତ ଦ୍ରବ୍ୟ ବିକ୍ରି ହେବ। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ଏହି ସୋ’ରୁମ୍‌ ଆଜି ଖୋଲାଯିବା ପରେ ଉଭୟ ଖାଉଟି ଓ ଚାଷୀମାନଙ୍କୁ ଲାଭ ପହଞ୍ଚାଇ ପାରିବ ବୋଲି ଆଶା କରାଯାଉଛି। ଖାଉଟିମାନେ ଏଠାରୁ ବନଜାତ ଦ୍ରବ୍ୟ ଓ ପନିପରିବା ସୁଲଭ ଦରରେ ପାଇପାରିବେ। ସେହିଭଳି ସ୍ଥାନୀୟ ଚାଷୀ ଓ ଅଧିବାସୀଙ୍କୁ ସେମାନଙ୍କ ଫସଲ ତଥା ଜଙ୍ଗଲରୁ ସଂଗ୍ରହ କରିଥିବା ଦ୍ରବ୍ୟ ବିକ୍ରି ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେବେ ସୋ’ରୁମ୍‌ରେ ଉଦ୍‌ଘାଟନୀ ଉତ୍ସବରେ କେବଳ ପନିପରିବା ରଖାଯାଇଥିବା ବେଳେ ଅଳ୍ପ ଦିନ ମଧ୍ୟରେ ବନଜାତ ଦ୍ରବ୍ୟ ରଖାଯିବ।

ଘୁ.ଉଦୟଗିରି ସହରର ପେଣ୍ଠସ୍ଥଳୀ ଆହାର କେନ୍ଦ୍ରର ପାର୍ଶ୍ୱରେ ପନ୍ଦର ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କନ୍ଧମାଳ ଫ୍ରେସ୍‌ ସୋ’ରୁମ୍‌କୁ ଆଜି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ କନ୍ଧମାଳ ଜିଲ୍ଲା ଉଦ୍ୟାନ ନିର୍ଦେଶକ ମନୋଜ କୁମାର ଦାଶ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ଏବଂ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ସୋ’ରୁମକୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ପନିପରିବା ଓ ବନଜାତ ଦ୍ରବ୍ୟ ଚାଷୀଙ୍କ ଠାରୁ କିଣି ଏଠାରେ ରଖି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ବିକ୍ରି କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ସୋ’ରୁମ୍‌ର ପରିଚାଳନା ଦାୟିତ୍ୱ ବେଲଘରର ସୁର୍ଗାଭଟ୍ଟାର ଏକ ଗୋଷ୍ଠୀଙ୍କୁ ଦିଆଯାଇଛି। ବିଧାୟକ ନିଜ ବକ୍ତବ୍ୟରେ କନ୍ଧମାଳ ଫ୍ରେସର ଭବିଷ୍ୟତ ସୁରକ୍ଷିତ ରଖିବା ଏବଂ ଚାଷୀଙ୍କ ଉନ୍ନତି ନିମନ୍ତେ ଆମ ଅଂଚଳବାସୀଙ୍କୁ କନ୍ଧମାଳ ଫ୍ରେସର ଭବିଷ୍ୟତ ଚିନ୍ତା କରିବା ଦରକାର ବୋଲି କହିଥିଲେ। ବିଧାୟକ ଶ୍ରୀ ପ୍ରଧାନ କହିଥିଲେ, ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। କାରଣ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। ମୁଁ ବି ଜଣେ ନାମ ମାତ୍ର ଚାଷୀ। ଚାଷୀର ଦୁଃଖ କ’ଣ ମୁଁ ଜାଣିଛି। ପ୍ରକୃତ ଚାଷୀ କେବେ ଆତ୍ମହତ୍ୟା କରେ ନାହିଁ। ଚାଷୀ ଜାଣିଛି ତାର ଦୁଃଖ।

publive-image

କନ୍ଧମାଳ ଜିଲ୍ଲାରେ ପନିପରିବା ଚାଷ ଉନ୍ନତି ପାଇଁ ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ। କନ୍ଧମାଳ ଫ୍ରେସ ମାଧ୍ୟମରେ ଚାଷୀମାନେ ଉପକୃତ ହେବେ। ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ। ହଳଦୀ, ଝାଡୁ, କାନ୍ଦୁଲ, ସୋରିଷ, ତିଲା, ମହୁ, ଝୁଣା ସହ ପ୍ରତ୍ୟକ ଦିନ ସତେଜ ପରିବା ମିଳିବ। ଚାଷୀ ଏବଂ ଖାଉଟି ଉଭୟେ ଉପକୃତ ହେବେ। ଶୀତ ତାପ ନିୟନ୍ତ୍ରିତ କୋଠରୀରେ ସମସ୍ତ ପରିବା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe