ଘୁ ଉଦୟଗିରି: ସବୁଠି ବାତ୍ୟା ମୋନ୍ଥାର ପ୍ରଭାବ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତାରାବାଡି ଗ୍ରାମରେ ବାତ୍ୟା ମୋନ୍ଥାର ପ୍ରଭାବରେ ଦୁଇଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହରିବନ୍ଧୁ ଦିଗାଲ ଓ ତାଙ୍କ ସ୍ତ୍ରୀ ଘରେ ରହିଥିବା ବେଳେ ସକାଳ ସମୟ ୮ଟାରେ ହଠାତ୍ ଘର କାନ୍ଥ ବାହାର ଆଡ଼କୁ ପଡିଯାଇଥିଲା । ସେଥିରେ କାହାର କିଛି କ୍ଷତି ହୋଇନାହିଁ। ଯଦି ଭିତରକୁ ପଡ଼ି ଥାଆନ୍ତା ତେବେ ଅଘଟଣ ହେବାର ସମ୍ଭାବନା ଥିଲା । 

Advertisment

ସେହିପରି ଅଶୋକ ଦିଗାଲଙ୍କ ଘର କାନ୍ଥ ଭାଙ୍ଗିଛି । ରାତିରେ ଉପରେ କାନ୍ଥ ଟିକେ ଭାଙ୍ଗିଥିଲା,ସକାଳେ ପୁଣି ଆଉ ଭାଙ୍ଗିବା ଦେଖି ସେମାନେ କାନ୍ଥ ଠେସ ଦେଇ ରଖିଛନ୍ତି । କାନ୍ଥ ଭାଙ୍ଗିବା ପରେ  ଘରର ଟିଣ ମଧ୍ୟ ନଷ୍ଟ ହୋଇଛି । ତେବେ ଖବର ପାଇ ରାଜସ୍ବ ବିଭାଗ ପକ୍ଷରୁ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସହଯୋଗ କରିଥିବା ଦେଖିବାକୁ ମିଳିଛି।

ସେପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାର ବିକଳ ଚିତ୍ର ଗଂଜାମଜିଲ୍ଲା ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଚାଷୀମାନେ ବ୍ୟାପକ ଫସଲ କ୍ଷତି ସାମ୍ନା କରିଛନ୍ତି । ଚାଷୀମାନଙ୍କର ଖେତରେ ଥିବା ଧାନ ଏବଂ ବଗିଚାରେ ଥିବା ପନିପରିବା ନଷ୍ଟ ହୋଇଛି। ଧାନଖେତରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବଗିଚାରେ ପନିପରିବା ନଷ୍ଟ ହୋଇଛି। ପରିବା ଗଛ ପଚିବା, ଫୁଲ ଝଡ଼ିବା ଭଳି ସମସ୍ୟା ଉପୁଜିଛି। 

ଆହୁରି ପଢନ୍ତୁ-

Ganja Seized: ଦିଲ୍ଲୀ ଚାଲାଣ ପୂର୍ବରୁ ରାଉରକେଲା ଷ୍ଟେସନ୍‌ରୁ କୋଟିଏ ଟଙ୍କାର ଗଂଜେଇ ଜବତ

ପାଚିଲା ଧାନ ଧରାଶାୟୀ

ଧରାକୋଟ ବ୍ଲକର ୧୮ଗୋଟି ପଞ୍ଚାୟତର ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ଫଳ ଧରିଥିବା ଧାନକେଣ୍ଡା ଓ ପାଚିଲା ଧାନ ଫସଲ ପବନ ଓ ଲଗାଣ ବର୍ଷାରେ ଲୋଟି ପଡ଼ି ଧରାଶାୟୀ ହୋଇଛି। ଦୀର୍ଘ ଦୁଇ ଦିନ ଧାନ କେଣ୍ଡା ପାଣିରେ ଭିଜି ରହିଥିବାରୁ ଚାଷୀର ଚିନ୍ତା ବଢ଼ିଛି। ପାଣି ଭର୍ତ୍ତି ଧାନ ବିଲରୁ ଚାଷୀ ଉଜୁଡ଼ା ଫସଲକୁ ଛାଣୁଥିବାର ଦୟନୀୟ ଚିତ୍ର ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭଲ ଫସଲ ହୋଇଥିଲା। ଧାନ ଓ ପନିପରିବା ଚାଷ ପାଇଁ ପାଗ ଆରମ୍ଭରୁ ଅନୁକୂଳ ରହିଥିଲା। ଏଣୁ ଚାଷୀମାନେ ହାତ ଉଧାରି ଓ ବ୍ୟାଙ୍କ, ସମବାୟ ସମିତିରୁ କରଜ କରି ରୁଆ, ବେଉଷଣ, ବିହନ, ପିଡ଼ିଆ, ବଚ୍ଛାବଛି କରିଥିଲେ।

ଆଶା ଓ ଭରସା ଥିଲା ଚଳିତ ବର୍ଷ ଉଭୟ ଧାନ ଓ ପନିପରିବା ଫସଲରୁ ଭଲ ଦୁଇ ପଇସା ରୋଜଗାର ହେବ। ହେଲେ ବାତ୍ୟା ଓ ଭାରୀ ବର୍ଷା ସବୁକିଛି ଛାରଖାର କରିଦେଇଛି। ମାଣିକପୁର ଅଞ୍ଚଳର ରାଜନ ଛାଟୋଇ, ବସନ୍ତ ବେହେରା, କାଠଗଡାର ଉଦୟ ପରିଛା, ଡାକିବଜାର ଦଣ୍ଡପାଣି ଜେନା, ପ୍ରମୋଦ ପାଢ଼ୀ, ଧରାକୋଟର ବନବାସ ସ୍ୱାଇଁ ପ୍ରମୁଖ ବର୍ଷକର ଫସଲ ଅଖି ଆଗରେ ନଷ୍ଟ ହୋଇଯାଇଥିବାରୁ କେମିତି କରଜ ସୁଝିବେ ସେଥି ପାଇଁ ଚିନ୍ତାରେ ପଡ଼ିଛନ୍ତି। ସରକାରୀ ସ୍ତରରେ କ୍ଷୟ କ୍ଷତି ଆକଳନ କରାଯାଇ ସରକାରୀ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢନ୍ତୁ-

Gold Price Drops: କାହିଁକି କମୁଛି ସୁନା ଦର