ଫୁଲବାଣୀ:ସିପିଆଇ ମାଓ ସଂଗଠନ ପକ୍ଷରୁ ଆଜିଠାରୁ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ପୁଲିସର ଦମନଲୀଳା,ସରକାରୀ କାର୍ୟ୍ୟରେ ଦୁର୍ନୀତି,ନିରୀହ ଗରୀବ ଓ ଆଦିବାସୀଙ୍କ ଜୀବନ ଜୀବିକା ଦୁର୍ବିସହ ଆଦିକୁ ନେଇ ମାଓବାଦୀଙ୍କ ସହିଦ ସପ୍ତାହ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଗାଡିମଟର ଯାଞ୍ଚ ସହ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ସବୁ ଥାନାକୁ ନିଜ ନିଜ ଅଞ୍ଚଳରେ ସଜାଗ ରହିବା ସହ ଗାଡି ଯାଞ କଡାକଡି କରିବାକୁ କୁହାଯାଇଛି।
ଅଜଣା ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି ବୋଲି ଏସପି ବିନୀତ ଅଗ୍ରୱାଲ ପ୍ରେସଇସ୍ତାହାରରେ ଜଣାଇଛନ୍ତି। ଜିଲ୍ଲାର ମାଓ ଉପଦ୍ରବ ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଛାପଡା,.କୋଟଗଡ,ବାଲିଗୁଡା ଏବଂ କେ.ନୂଆଗାଁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଆସିବାକୁ ସେ ଆହ୍ବାନ ଦେଇଥିବା ବେଳେ ହିଂସା ଘଟାଇବାକୁ ଉଦ୍ୟମ କଲେ ପୁଲିସ କଡା ଜବାବ ଦେବାକୁ ପ୍ରସ୍ଚୁତ ବୋଲି ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି।
ସୂଚନା ଥାଉ କି ଚଳିତ ମାସରେ ପୁଲିସ ଏନକାଉଣ୍ଟରରେ ୭ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଦୃଷ୍ଟିରୁ ଆଜିଠାରୁ ସହିଦ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଡାକରା କନ୍ଧମାଳ ପୁଲିସ ପାଇଁ ବିଗତବର୍ଷଗୁଡିକଠାରୁ ଚ୍ୟାଲେଞ୍ଜ ସହ ଅଧିକ ସତର୍କତା ରହିବା ଜରୁରୀ ହୋଇ ପଡିଛି।
Follow Us