ଫୁଲବାଣୀ: କନ୍ଧମାଳରେ ପୁଣି ଲଜ୍ୟା। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ଯୁବକ ଚକଲେଟ୍ ଦେଇ ଦୁଷ୍କର୍ମ କରିଛି। ଏ ନେଇ ସଦର ପୁଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସଦର ଥାନା ବିଶିପଡା ଅଞ୍ଚଳରେ ସୋମବାର ସଂଧ୍ୟାରେ ଏହି ଘଟଣା ଘଟିଛି। ପରିବାର ଲୋକ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ। ୯ ବର୍ଷର ଦିବ୍ୟାଙ୍ଗ ଝିଅଟି ଘରେ ଏକୁଟିଆ ଥିବା ସମୟରେ ସ୍ଥାନୀୟ ଅଞ୍ଚଳର ବାବୁଲି ଖୁଦାଇ ନାମକ ଜଣେ ଯୁବକ ଯାଇ ତାକୁ ଚକଲେଟ୍ ସହ କିଛି ଟଙ୍କା ବି ଦେଇଥିଲା। ତାପରେ ଘର ପାଖ ଏକ ନିଛାଟିଆ ନାଳ କଡକୁ ଡାକି ନେଇ ତାକୁ ଦୁଷ୍କର୍ମ କରି ପଳାଇ ଯାଇଥିଲା।
ପରିବାର ଲୋକେ ଘରକୁ ଫେରିବା ପରେ ଝିଅଟି ଘଟଣା ସମ୍ପର୍କରେ କହିଥିଲା। ତାପରେ ଆଜି ସଂଧ୍ୟାରେ ପରିବାର ପକ୍ଷରୁ ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। କେଶ ନଂ ୨୧/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବାବୁଲିକୁ ଥାନାକୁ ଆଣି ପଚରାଉଚୁରା କରାଯାଉଛି ବୋଲି ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। କନ୍ଧମାଳରେ କିଛି ଦିନ ପୂର୍ବେ ଲଗାତାର ଭାବେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ଛାତ୍ରୀ ମା ହେବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଦିବ୍ୟାଙ୍ଗ ବାଳିକା ଦୁଷ୍କର୍ମର ଶିକାର ହେବା ଉଦବେଗର ବିଷୟ ହୋଇ ପଡିଛି।
Follow Us