ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦୀର୍ଘ ବର୍ଷ ହେଲେ ମଧ୍ୟ ଅଞ୍ଚଳବାସୀଙ୍କ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଉପଖଣ୍ଡ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏଠାରେ ହେବ ବୋଲି କହି ଭୁଆଁ ବୁଲାଇଲେ। ସହରର ରାଜସ୍ବ ଡାକ ବଙ୍ଗଳାକୁ ପୁନରୁଦ୍ଧାର କରି ସେହି ଗୃହରେ ଅତିରିକ୍ତ ଉପଜିଲ୍ଲପାଳ କାର୍ଯ୍ୟାଳୟକୁ ୨୦୧୦ ଅକ୍ଟୋବର ୨୫ ତାରିଖରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ସ୍ଥାନୀୟ ତହସିଲଦାରଙ୍କୁ ଦାୟିତ୍ୱ ଦିଆଗଲା। ଜଣେ କିରାଣୀ, ଜଣେ ପିଅନ କାର୍ଯ୍ୟରେ ଯୋଗ ଦେଲେ।
ଏହି ଖବର ପଢ଼ନ୍ତୁ: ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା
ସରକାରୀ ନିର୍ଦ୍ଦେଶ ନ ଥିବା ଯୋଗୁଁ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା କୌଣସି କାର୍ଯ୍ୟ ଏହି କାର୍ଯ୍ୟାଳୟରେ ହେଲା ନାହିଁ। ଯେମିତି ସାଧାରଣ ଲୋକ ବାଲିଗୁଡ଼ା ଦୌଡୁଥିଲେ ଏବେବି ସେହି ସମାନ ଅବସ୍ଥା। କିଛି ଦିନ ପରେ ଏଠାରେ ନିଯୁକ୍ତି ହୋଇଥିବା କିରାଣୀ ସେଠାରୁ ଅନ୍ୟତ୍ର ବଦଳି ହୋଇଗଲେ। ଏହା ପରେ ଜଣେ ମହିଳା ପିଅନ ଓ ଜଣେ କିରାଣୀ କାର୍ଯ୍ୟାଳୟକୁ ଜଗି ବସିଥିଲେ। ଗତ ଅଗଷ୍ଟ ମାସରେ ସେ ଅବସର ନେବା ପରେ ବିନା କୌଣସି ଅଧିକାରୀ କର୍ମଚାରୀରେ କେବଳ ଫଳକରେ ରହିଯାଇଛି ଘୁ.ଉଦୟଗିରି ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ।
ଏହି ଖବର ପଢ଼ନ୍ତୁ: ଜୟ ଶାହଙ୍କ ପରେ ବିସିସିଆଇ ସଚିବ ଆସନରେ ବସିବେ ଏହି ବ୍ୟକ୍ତି !
ଏହିଭଳି ଦୃଶ୍ୟ ଦେଖିବା ପରେ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସପ୍ତାଚର୍ଯ୍ୟ ମଧ୍ୟରୁ ଏହି କାର୍ଯ୍ୟଳୟର ଦୃଶ୍ୟ ଏକ ଆଶ୍ଚର୍ଯ୍ୟ ବୋଲି ଅନୁଭବ ହେଉଛି। ବାଲିଗୁଡ଼ା ଉପଖଣ୍ଡ ଓଡ଼ିଶାର ବୃହତ୍ ଉପଖଣ୍ଡ। ଏହି କାର୍ଯ୍ୟାଳୟକୁ ଯାଇ କାମ କରି ଫେରିବାକୁ ଦୁଇଦିନ ସମୟ ଲାଗୁଛି। ଚକାପାଦ ବ୍ଲକର ଦୁର୍ଗମ ଅଞ୍ଚଳରୁ ଆସୁଥିବା ଏବଂ ରାଇକିଆ ବ୍ଲକର ରଣବା, କାରଡା ଅଞ୍ଚଳରୁ ବାଲିଗୁଡ଼ା ଯାଇ କାମ କରିବା କେତେ କଷ୍ଟ ଏବଂ ଅର୍ଥ ବ୍ୟାୟ ହୁଏ ତାହା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ହୃଦୟଙ୍ଗମ କରିବା ବଦଳରେ ଆଦିବାସୀ ଅଧ୍ୟୁଷିତ ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା କରିବା ବଦଳରେ ପ୍ରତାରଣା କରି ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଗୋଟିଏ ପଟେ ରାଜ୍ୟ ସରକାର ମୋ ସରକାର ୫ଟି ଯୋଜନା କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କୁ ସରକାରଙ୍କ ସହ ଏବଂ ସରକାରୀ କାର୍ଯ୍ୟ ସହ ଯୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଘୁ ଉଦୟଗିରି ଠାରେ ଥିବା ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀ ଏବଂ କାର୍ଯ୍ୟ ବିହୀନ ହୋଇ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ଉପହାସ କଲା ଭଳି କାର୍ଯ୍ୟ ଦେଖିବାକୁ ମିଳୁଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିବାର ଗୋଟିଏ ଯୁଗ ପୁରିଗଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରିନି। ବିଡମ୍ବନାର ବିଷୟ ଘୁ.ଉଦୟଗିରି ଅଞ୍ଚଳବାସୀଙ୍କ ଦାବିକୁ ଏକ ପ୍ରକାର ଉପହାସ କଲା ଭଳି ଏହି କାର୍ଯ୍ୟାଳୟ ଖୋଲି ରଖାଯାଇଛି।
ସ୍ଥାନୀୟ ସହରରେ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାହିଁକି ଖୋଲା ଯାଇଛି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରି ପରମୁହୂର୍ତ୍ତରେ ଠକିଦେଲେ। ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଉପଖଣ୍ଡ କାର୍ଯ୍ୟାଳୟର କାର୍ଯ୍ୟ ହେବ କହି ଠକିଦେଲେ। ଏହି ବିଷୟରେ ସ୍ଥାନୀୟ ବିଧାୟକ ପ୍ରଫୁଲ ପ୍ରଧାନ ଚଳିତ ବିଧାନସଭା ଅଧିବେଶନରେ ଏକ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ କରିଥିଲେ। ହେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଥିଲେ ଘୁ.ଉଦୟଗିରି ରାଜସ୍ୱ ଡାକ ବଙ୍ଗଳା ଠାରେ ଥିବା ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲୁ ଅଛି। ହେଲେ ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟାଳୟରେ ଗୋଟିଏ ମଧ୍ୟ କର୍ମଚାରୀ କି ଅଧିକାରୀ ନାହାନ୍ତି। ତାହାହେଲେ କାର୍ଯ୍ୟାଳୟ କିଭଳି ଏବଂ କେମିତି ଚାଲିଛି। ଆଉ ଯଦି ଚାଲିଛି ତେବେ କିଏ ଚଳେଇଛି ଏବଂ କେଉଁ କାର୍ଯ୍ୟ ହେଉଛି କିଏ ଉପକୃତ ହେଉଛନ୍ତି।
ଏହି ଖବର ପଢ଼ନ୍ତୁ: ପୁଣି ଏକାଠି ହେବେ କି ଦାଦା-ପୁତୁରା!
ଆଶ୍ଚର୍ଯ୍ୟର ବିଷୟ ମନ୍ତ୍ରୀଙ୍କ ପାଖରେ ତଥ୍ୟ ବି ନାହିଁ କି ତାଙ୍କୁ ସଠିକ ତଥ୍ୟ ଯୋଗେଇ ଦିଆଯାଇନାହିଁ। ଯଦି ସଠିକ ତଥ୍ୟ ଥାନ୍ତା ତାହାହେଲେ ବିଧାୟକଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇଥାନ୍ତେ। ଏଣୁ ବର୍ତ୍ତମାନର ରାଜ୍ୟ ସରକାର ଘୁ.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା କରିବା ସହ ସମସ୍ତ ସରକାରୀ କାର୍ଯ୍ୟ ଏଠି କରିବାକୁ ସାଧାରଣରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ପୁଣି ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଏନ୍ଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନସ୍ଥା