kpt-laxmi bus Photograph: (sambad.in)
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଦିବାସୀ ଅଧ୍ୟୁଷିତ ରେଳ ବିହୀନ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କର ଗମନାଗମନର ସୁବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀ ଠାରେ ଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଶାଖାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା।
ଶାଖା ପୁନର୍ବାର କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ସରକାରୀ ବସ୍ ଚଳାଚଳ କରୁଥିଲା, ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା। ସେହି ପରିପ୍ରେକ୍ଷୀରେ ଫୁଲବାଣୀ ଠାରୁ ମଣ୍ଡାସରୁ ପର୍ଯ୍ୟନ୍ତ ଭାୟା-ଫିରିଙ୍ଗିଆ, ରାଇକିଆ ଦେଇ ପ୍ରତ୍ୟେକ ଦିନ ଗୋଟିଏ ସରକାରୀ ଓ.ଏସ୍.ଆର୍.ଟି.ସି ବସ୍ ଚଳାଚଳ କରୁଥିଲା। ଯାହା ଦ୍ଵାରା ଜନସାଧାରଣ ମାନେ ଗ୍ରାମାଞ୍ଚଳ ଠାରୁ ଜିଲ୍ଲାର ସଦର ମହକୁମାକୁ ଯାତାୟାତ କରିପାରୁଥିଲେ। କିନ୍ତୁ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ହେବ ଫୁଲବାଣୀ ଠାରୁ ମଣ୍ଡାସରୁ ପର୍ଯ୍ୟନ୍ତ ଚଳାଚଳ କରୁଥିବା ସରକାରୀ ବସ୍ଟିକୁ ଯାନ୍ତ୍ରିକ ତ୍ରୁଟିର ମରାମତି ଆଳ ଦେଖାଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ତରଫରୁ ବନ୍ଦ କରି ଦିଆଯାଇଛି।
ଜିଲ୍ଲାର ସଦରମହକୁମା ଠାରୁ ମଣ୍ଡାସରୁକୁ ସିଧାସଳଖ ଯାତାୟାତ ପାଇଁ କୌଣସି ବେସରକାରୀ ବସ୍ ଚଳାଚଳ କରୁନଥିବା ବେଳେ ଏକ ମାତ୍ର ସରକାରୀ ବସ୍ ଚଳାଚଳ କରୁଥିଲା ଯାହା ଦ୍ଵାରା ଜନସାଧାରଣ ମାନେ ଉକ୍ତ ବସ୍ ଉପରେ ନିର୍ଭରଶୀଳ ହୋଇ ଅତି ସୁରୁଖୁରୁରେ ଯାତାୟାତ କରିପାରୁଥିଲେ । ବସ୍ ଚଳାଚଳ ବନ୍ଦ ରହିବା ଦ୍ୱାରା ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ମାର୍ଗ ଏକ ଲାଭଜନକ ମାର୍ଗ ହୋଇଥିବା ବେଳେ ଉକ୍ତ ବସ୍ ରେ ନିୟୋଜିତ ଥିବା କିଛି ଦୁର୍ନୀତିଗ୍ରସ୍ତ କଣ୍ଡକ୍ଟରମାନେ ଯାତ୍ରୀ ଭଡ଼ା ବାବଦରେ ଆଦାୟ କରୁଥିବା ଟଙ୍କାକୁ ଆତ୍ମସାତ କରିବା ଦ୍ୱାରା ଉକ୍ତ ମାର୍ଗରେ ଚଳାଚଳ କରୁଥିବା ବସ୍ କ୍ଷତିରେ ଚାଲିଛି।
ବିଭାଗୀୟ କର୍ତ୍ତୁପକ୍ଷ ଅଚାନକ ବସ୍ ଗୁଡ଼ିକର ଯାଞ୍ଚ କରିବା ର ନିୟମ ରହିଥିଲେ ସୁଦ୍ଧା କର୍ତ୍ତୁପକ୍ଷ ବସ୍ ଗୁଡ଼ିକ ନିୟମିତ ଯାଞ୍ଚ୍ କରୁନାହାନ୍ତି। ବେଳେ ବେଳେ ଯାଞ୍ଚ୍ କରାଗଲେ ମଧ୍ୟ ଦୁର୍ନୀତିଗ୍ରସ୍ତ କଣ୍ଡକ୍ଟର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହା ଦ୍ଵାରା ଦୁର୍ନୀତି ର ମାତ୍ରା ଦିନ କୁ ଦିନ ବୃଦ୍ଧି ପାଉଛି। ଆଗାମୀ ୧ ସପ୍ତାହ ମଧ୍ୟରେ ଫୁଲବାଣୀ ଠାରୁ ମଣ୍ଡାସରୁ ମାର୍ଗରେ ପୁନର୍ବାର ବସ୍ ଚଳାଚଳ ର ବ୍ୟବସ୍ଥା କରିବା ପାଇଁ ଫିରିଙ୍ଗିଆ, ରାଇକିଆ ବାସୀ ଏବଂ ଜିଲ୍ଲାର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ନିକଟରେ ଦାବି କରିଛନ୍ତି। ଯଦିଓ ଆଗାମୀ ଏକ ସପ୍ତାହ ମଧ୍ୟରେ ନିର୍ଧାରିତ ମାର୍ଗରେ ପୁନର୍ବାର ବସ୍ ଚଳାଚଳ ନ କରାଯାଏ ତାହା ହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପାଇଁ ଉକ୍ତ ୨ ଗୋଟି ବ୍ଳକ୍ ର ଜନସାଧାରଣ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
Follow Us