ସମସ୍ୟାରେ କଳିଙ୍ଗା ଉଚ୍ଚ ବିଦ୍ୟାଳୟ: ନାହାଁନ୍ତି ଆବଶ୍ୟକ ଶିକ୍ଷକ

ଶିକ୍ଷା ବିଭାଗ ଅଧିକାରୀଙ୍କ ଅଜବ ଶିକ୍ଷା ନିତୀ ଯୋଗୁଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ବିଷୟ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି | ଯାହା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି।

kalinga highschool

ଘୁ.ଉଦୟଗିରି,: କନ୍ଧମାଳ ଜିଲ୍ଲା ଜି,ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ୧୯୮୨ ମସିହାରେ ସ୍ଥାପିତ ହୋଇଥିବା "କଳିଙ୍ଗା ଉଚ୍ଚ ବିଦ୍ୟାଳୟ" ଯାହା ସରକାରଙ୍କ ଦୟାରୁ ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରଙ୍ଗ ମରାଯାଇ ୫-ଟି ସ୍କୁଲ ରେ ରୂପାନ୍ତରିତ ହୋଇ ସ୍କୁଲଟି ଦେଖିବାକୁ ଅତିସୁନ୍ଦର ଦିଶୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଶିକ୍ଷା ବିଭାଗ ଅଧିକାରୀଙ୍କ ଅଜବ ଶିକ୍ଷା ନିତୀ ଯୋଗୁଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ବିଷୟ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି | ଯାହା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି। ଆଉ ମାତ୍ର କିଛି ମାସ ପରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବାକୁ ଥିବାବେଳେ ମୁଖ୍ୟ ବିଷୟ ପଢେଇବା ପାଇଁ ସ୍କୁଲରେ ଶିକ୍ଷକ ନାହାଁନ୍ତି । ଅଞ୍ଚଳବାସିଙ୍କ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ତରଫରୁ ତିନିଜଣ ଅତିଥି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଯାହା ଯଥେଷ୍ଟ ନଥିବା କହିଛନ୍ତି ଅଭିଭାବକ। ସରକାରଙ୍କ ତରଫରୁ ସ୍ଥାନୀୟ ଅଂଚଳର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଛି ଯେଉଁଠି ବିଭିନ୍ନ ସ୍ଥାନରୁ ଆସିଥିବା ଗରିବ ଛାତ୍ର ରହୁଛନ୍ତି ।

କିନ୍ତୁ ଦୀର୍ଘ ୫ ମାସରୁ ଉର୍ଦ୍ଧ ହେବ ହଷ୍ଟେଲ୍ ଦାୟିତ୍ଵରେ କେହି ନଥିବାରୁ ହଷ୍ଟେଲ ପରିଚାଳନା ବିଭିନ୍ନ ସମସ୍ୟା ଦେଇ ଚାଲିଛି।  ସୂଚନା ଅନୁସାରେ ଉଭୟ ସ୍କୁଲ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକ ଚଳିତ ବର୍ଷ ମେ ମାସ ୩୧ ତାରିଖରେ ଅବସର ନେବା ପରେ ଡେପୁଟେସନରେ ଆସିଥିବା ଶିକ୍ଷୟତ୍ରୀ ୧/୬ ତାରିଖ ଠାରୁ ୧୧/୯ ପର୍ଯ୍ୟନ୍ତ କାମଚଳା ଦାୟିତ୍ଵ ତୁଲେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ ମୁତାବକ ସେପ୍ଟେମ୍ବର ୧୨ ତାରିଖରେ ଅରୁଣ କୁମାର ତ୍ରିପାଠୀ ପ୍ରଧାନଶିକ୍ଷକ ଭାବେ କେବଳ ସ୍କୁଲ ଦାୟିତ୍ଵ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବରୁ ହଷ୍ଟେଲ୍ ଦାୟିତ୍ଵରେ ଥିବା ଶିକ୍ଷକ ଅବସର ପରେ ମଧ୍ୟ ହଷ୍ଟେଲ ଦାୟିତ୍ୱ ପ୍ରଦାନ କରିନଥିବା ସୂଚନା ମିଳିଛି। ଚାକିରିରୁ ଅବସର ନେବା ପରେ ମଧ୍ଯ କେଉଁ କାରଣରୁ ହଷ୍ଟେଲ୍ ବ୍ୟାଙ୍କ୍ ପାସ୍ ବୁକ୍ , କ୍ୟାସ୍ ବୁକ, ଚାଉଳ ରେଜିଷ୍ଟର, ରାସନ ସମାଗ୍ରୀ ରେଜିଷ୍ଟର ସହ ଆବଶ୍ୟକୀୟ ଅନ୍ୟ କାଗଜପତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇନାହିଁ ଯାହାକୁ ନେଇ ଅଞ୍ଚଳବାସିଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ସହ ଏ ନେଇ ସାଧାରଣରେ ଆଲୋଚନା ହେଉଛି ।

ସେପଟେ ହଷ୍ଟେଲ୍ ଛାତ୍ରଙ୍କୁ ଖାଦ୍ୟ ଦେବା ବାବଦରେ  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ୫ ମାସ ହେଲାଣି ତାଙ୍କ ପ୍ରାପ୍ୟ ଟଙ୍କା ପାଇ ନାହାଁନ୍ତି। ହଷ୍ଟେଲରେ ଥିବା ଶୌଚାଳୟ ଓ ରୋଷେଇ ଘର ଦୁର୍ଗନ୍ଧମୟ ରହିଥିବା ବେଳେ ଫିନାଇଲଟିଏ ନାହିଁ। ଅପରିଷ୍କାର ପରିବେଶ ମଧ୍ୟରେ ଚାଲିଛି ପିଲାଙ୍କ ହଷ୍ଟେଲ୍। ପିଲାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ କୋଠରୀରେ ଆରଓ ମେସିନ ଲାଗିଛି ହେଲେ ଉକ୍ତ ଆରଓ ମେସିନ କାମ କରୁନି। ପିଲା ଦୂଷିତ ଜଳ ବ୍ୟବହାର କରୁଛନ୍ତି।

ଏ ନେଇ ସ୍ଥାନୀୟ ବ୍ଲକ ମଙ୍ଗଳ ଅଧିକାରୀ ଶୁଶ୍ରୀ ରୋଜାଲିନ ନାୟକଙ୍କୁ ଜଣାଇବା ପରେ ଉତ୍ତର ମିଳିଥିଲା ଏ ପର୍ଯ୍ୟନ୍ତ କାହାକୁ ହଷ୍ଟେଲ୍ ଦାୟିତ୍ଵ ମିଳିନାହିଁ ତେଣୁ ଟଙ୍କା ଖର୍ଚ୍ଚ କରି ହେଉନି। ଅତିଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ। ଏଠାରେ ପ୍ରଶ୍ନ ଉଠିଛି ଅଧିକାରୀଙ୍କ ଭୁଲ ପାଇଁ ପିଲାମାନେ କାହିଁକି ଅସୁବିଧାର ସମ୍ମୁଖୀନ ହେବେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏ ବିଷୟରେ ଅବଗତ ଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ହଷ୍ଟେଲ୍ ଦାୟିତ୍ଵ କଣ ପାଇଁ ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ତାର ତଦନ୍ତ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯିବ ବୋଲି ସ୍ଥାନୀୟ ସମାଜସେବି ଆମନ୍ ଚନ୍ଦ୍ର ନାୟକଙ୍କ ସମେତ କଳିଙ୍ଗାବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe