ଫୁଲବାଣୀ ସହରରେ ମାଳମାଳ ବୁଲା ଗୋରୁ, ବଢୁଛି ଟ୍ରାଫିକ୍‌ ସମସ୍ୟା

Advertisment

ହଟାଇବାକୁ ଉଦ୍ୟମ ନାହିଁ, ପୌର ପରିଷଦ ବେଫିକର

ହଟାଇବାକୁ ଉଦ୍ୟମ ନାହିଁ, ପୌର ପରିଷଦ ବେଫିକର

ଫୁଲବାଣୀ ସହରରେ ମାଳମାଳ ବୁଲା ଗୋରୁ, ବଢୁଛି ଟ୍ରାଫିକ୍‌ ସମସ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ମାଳମାଳ ବୁଲା ଗୋରୁ। ସକାଳଠୁ ରାତି ପର୍ଯ୍ୟନ୍ତ ଯେଉଁଠି ଦେଖିବ ବୁଲା ଗୋରୁ । ଏଥି ଯୋଗୁଁ ସହରବାସୀ ନାହିଁ ନଥିବା ଟ୍ରାଫିକ୍‌ ସମସ୍ୟା ଭୋଗୁଥିବା ବେଳେ ଦୁର୍ଘଟଣା ମଧ୍ୟ ବଢୁଛି । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଚେଇଁ ଉଠୁଛି ପୌର ପରିଷଦ। ତ୍ୱରିତ ଭାବେ ନାମକୁ ମାତ୍ର ୨-୩ ଜଣ କର୍ମଚାରୀଙ୍କୁ ଲଗାଇ ବୁଲା ଗୋରୁଙ୍କୁ ହଟାଇବାକୁ ଉଦ୍ୟମ ଭେଳିକି କରୁଛନ୍ତି। ତାପରେ ଯଥା ପୂର୍ବ ତଥା ପରଂ। ପୌର ପରିଷଦ ପକ୍ଷରୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମ କରାଯାଇ ସହରକୁ ସବୁଜ ସୁନ୍ଦର ଉଦ୍ୟମ ହେବା ସମୟରେ ବୁଲା ଗୋରୁ ସବୁ କିଛି ବିଗାଡି ଦେଉଛନ୍ତି। ଏମାନଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଗାଈ ମାଲିକମାନେ ଗାଈ ଦୁହିଁବା ପରେ ଗାଈ ଓ ବାଛୁରୀକୁ ଛାଡି ଦେଉଛନ୍ତି। ସହରର ଜନଗହଳି ସ୍ଥାନମାନଙ୍କରେ ମାଳମାଳ ବୁଲା ଗୋରୁ ବୁଲୁଥିବା ଦେଖିବାକୁ ମିଳୁଛି। ମୁଖ୍ୟ ରାସ୍ତା ଉପରେ ଶୋଉଛନ୍ତି। ପରିବା ଦୋକାନ ସମ୍ମୁଖରେ ମାଳମାଳ ହୋଇ ଠିଆ ହେଉଛନ୍ତି। ପରିଶ୍ରା ଓ ମଳତ୍ୟାଗ ଯୋଗୁଁ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି। ମୁଖ୍ୟ ଜନଗହଳି ରାସ୍ତା ବିଜୁ ପଟ୍ଟନାୟକ ଛକ, ଟାଉନ ଥାନା ସମ୍ମୁଖ, ମାଦିକୁନ୍ଦା ଛକ, କୋର୍ଟଛକ ଆଦି ସ୍ଥାନମାନଙ୍କରେ ବୁଲା ଗୋରୁ ମାଳମାଳ ହୋଇ ଠିଆ ହେବା ଏବଂ ରାସ୍ତାରେ ଶୋଇବା ଦେଖିବାକୁ ମିଳୁଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପୂର୍ବଭଳି ପୌର ପରିଷଦ ପକ୍ଷରୁ ସହର ମଧ୍ୟରୁ ବୁଲା ଗୋରୁଙ୍କୁ ହଟାଇବାକୁ ଦାବି ହୋଇଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ପଚାରିବାରେ ସହରରୁ ବୁଲା ଗୋରୁଙ୍କୁ ହଟାଇବା ନିମନ୍ତେ ୨ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବୁଲା ଗୋରୁଙ୍କୁ ହଟା ଯାଇ ସେମାନଙ୍କୁ ରଖିବା ସମସ୍ୟା ରହିଛି। କାଞ୍ଜିଆହୁଦା ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସହର ମଧ୍ୟରୁ ବୁଲାଗୋରୁ ନିଶ୍ଚୟ ହଟିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe