ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପଦା ଛକ ଠାରୁ ଭାୟା ରଟିଙ୍ଗିଆ ଦେଇ ଗ୍ରେସିଙ୍ଗିଆ ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ। ମାଲିକାପଡ଼ି ପଞ୍ଚାୟତର ବାଡେନାଜୁ ଛକ ଠାରୁ ଭାୟା ସୁଜେଲି ଗ୍ରାମ ଦେଇ ରାଇପଦା ପର୍ଯ୍ୟନ୍ତ ଏବଂ ରାଇକଲା ପଞ୍ଚାୟତର ଶ୍ରିକଲା ଠାରୁ ଭାୟା ରାଇକଲା, ଖାରିଆପଡ଼ା ଦେଇ ଯାକାମାହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୁଖ୍ୟରାସ୍ତା ନିର୍ମାଣ କରାଯାଇଥିଲା। ଏହାର ଅବସ୍ଥା ମଧ୍ୟ ଶୋଚନୀୟ। ନିର୍ମାଣର ୫ ବର୍ଷ ବିତଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣା, ମରାମତି କିମ୍ବା ପୁନଃ ନିର୍ମାଣ କାର୍ଯ୍ୟ କରାଯାଉନାହିଁ। ପଞ୍ଚାୟତ ଗୁଡ଼ିକର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକଦିନ ଏହି ରାସ୍ତାରେ ଶହଶହ ଯାନବାହନ ଚଳାଚଳ କରୁଛି। 

Advertisment

ମରଣଯନ୍ତା ପାଲଟିଛି ରାସ୍ତା

ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି। ଉକ୍ତ ବିଷୟରେ ଅଞ୍ଚଳବାସୀ ଅନେକ ଥର ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଦାବି ପତ୍ର ପ୍ରଦାନ କରିବା ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଅନୁମୋଦନ ହୋଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦନର ଛଅ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହେବା ତ ଦୂରର କଥା କେହି ଦେଖିବାକୁ ବି ଆସିନାହାନ୍ତି। ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା

ସ୍ଥାନୀୟ ସାମାଜିକ କର୍ମୀ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତା ଅଭାବ ନିମନ୍ତେ ଏହି ସଡ଼କ ଗୁଡ଼ିକ ନିର୍ମାଣ କରାନଯାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ୩ଟି ମୁଖ୍ୟ ରାସ୍ତାର ନିର୍ମାଣ ତୁରନ୍ତ ଆରମ୍ଭ କରିବା ଦାବିରେ ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ, ହୃଷିକେଶ ପ୍ରଧାନ ଓ ସସ୍ମିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ଦଳ କନ୍ଧମାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ କୁଶଲ ଚନ୍ଦ୍ର ନାୟକ ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ ନରେନ୍ଦ୍ର ନାୟକଙ୍କୁ  ଦାବିପତ୍ର ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ଧାରଣା ଚେତାବନୀ

ଯଦି ଆସନ୍ତା ୨୦ ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ, ତେବେ ଆଗାମୀ ଡିସେମ୍ବର ପ୍ରଥମ ସପ୍ତାହରେ ଅଞ୍ଚଳବାସୀ ରାଜରାସ୍ତାରେ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।ଦାବି ପତ୍ର ପ୍ରଦାନ ସମୟରେ ସାମନ୍ତ ଶେଖର ନାୟକ, ରଟିଙ୍ଗିଆ ସାଧାରଣ ନାଗରିକ କମିଟି ପକ୍ଷରୁ ଭିକି ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, କିଶାନ ପ୍ରଧାନ, ଲାଲୁପ୍ରସାଦ ପ୍ରଧାନ ଓ କାମଳକାନ୍ତ ପ୍ରଧାନ ଉପସ୍ଥିତ ଥିଲେ।

ରିପୋର୍ଟ: ସମୀର କୁମାର ପାଢ଼ୀ