୩୮ ଘଣ୍ଟା ପରେ ତାଲାବନ୍ଦ ଗୋଦାମରୁ ଅପହୃତ ହାର୍ଦ୍ଦିକ ଉଦ୍ଧାର

୩୮ ଘଣ୍ଟା ପରେ ତାଲାବନ୍ଦ ଗୋଦାମରୁ ଅପହୃତ ହାର୍ଦ୍ଦିକ ଉଦ୍ଧାର

କାଶୀନଗର: କାଶୀନଗର ବସ୍‌ଷ୍ଟାଣ୍ଡ ନିକଟ ମୋନିଙ୍ଗି ସାହିର କାଜୁ ବ୍ୟବସାୟୀ ଜେ. ଗୋପୀଙ୍କ ଅପହୃତ ୭ ବର୍ଷର ପୁଅ ହାର୍ଦ୍ଦିକ ନାଟକୀୟ ଢଙ୍ଗରେ ଅପହରଣର ୩୮ ଘଣ୍ଟା ମଧ୍ୟରେ ଉଦ୍ଧାର ହୋଇଛି।

କୌଣସି ଏକ ଅଜ୍ଞାତ ସୂତ୍ରରୁ ସୂଚନା ମିଳିଥିଲା କି କାଶୀନଗର ସହର ଠାରୁ ୩ କିମି. ଦୂର କଇଠପଦର ଠାରେ ଥିବା ନିର୍ଦ୍ଦିଷ୍ଟ ଏକ ନିର୍ମାଣାଧୀନ ଗୋଦାମ ଗୃହରେ ହାର୍ଦ୍ଦିକ ଅଛି। ସୂଚନା ପାଇ ତୁରନ୍ତ ହାର୍ଦ୍ଦିକର ମଉସା ପି. ନରେଶ ସେହି ଗୋଦାମ ନିକଟରେ ପହଞ୍ଚିଥିଲେ। ଗୋଦାମ ଗୃହ ବାହାରୁ ତାଲା ବନ୍ଦ ଥିଲା। କବାଟ ଫାଙ୍କ ଦେଇ ଦେଖିବା ବେଳକୁ ତା' ଭିତରେ ହାର୍ଦ୍ଦିକ ଶୋଇଥିବା ସେ ଦେଖିଥିଲେ। ତା'ପରେ, ଗୋଦାମ ଗୃହର ତାଲା ଭାଙ୍ଗି ନରେଶ ଭିତରକୁ ପଶିଥିଲେ ଏବଂ ହାର୍ଦ୍ଦିକକୁ ଉଦ୍ଧାର କରି ତା'ର ବାପା ଗୋପୀଙ୍କ ଘରକୁ ନେଇ ଆସିଥିଲେ।

ଏ ଖବର ପାଇବା ପରେ ପୁଲିସ ଗୋପୀଙ୍କ ଘରେ ପହଞ୍ଚି ହାର୍ଦ୍ଦିକର ସ୍ବାସ୍ଥ୍ୟ ଯାଞ୍ଚ କରାଇବା ପାଇଁ ପରାମର୍ଶ ଦେଇଥିଲା। ପୁଲିସ ସହଯୋଗରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ହାର୍ଦ୍ଦିକର ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ପରେ ତାକୁ ପରିବାରକୁ ହସ୍ତାନ୍ତର କରା ଯାଇଥିଲା। ପୁଅକୁ ପାଇବା ପରେ ପରିବାରରେ ଆନନ୍ଦ ଖେଳି ଯାଇଛି।

ତେବେ, କିଏ ଏବଂ କାହିଁକି ହାର୍ଦ୍ଦିକକୁ ଅପହରଣ କରି ନେଇଥିଲା, ସେ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ତେବେ ଯେଉଁ ନିର୍ମାଣାଧୀନ ଗୋଦାମ ଭିତରୁ ହାର୍ଦ୍ଦିକକୁ ଉଦ୍ଧାର କରାଗଲା ତାହା ଜଗନ୍ନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ଗୋଦାମ ଓ ସେ ଏହାକୁ ଅନ୍ୟ ଜଣକୁ ଲିଜ୍‌ ଦେଇଥିବା ପୁଲିସ ଅନୁସନ୍ଧାନରୁ ଜଣାଯାଇଛି।

ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପାରଳାଖେମୁଣ୍ତିରେ ପହଞ୍ଚି ହାର୍ଦ୍ଦିକ ଉଦ୍ଧାର ହେବା ଘଟଣା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏ ସମୟରେ ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ, ଡିଆଇଜି ଶ୍ରୀ ଭୋଇ ଘଟଣା ପଛର ରହସ୍ୟ ସମ୍ପର୍କରେ କୌଣସି ତଥ୍ୟ ଅନାବୃତ କରି ନଥିଲେ।

ବିଗତ ୩ ଦିନ ହେଲା ପିଲାଟି ସେହି ଗୋଦାମ ଭିତରେ ଥିଲା ନା ଅନ୍ୟ କେଉଁଠି ଥିଲା ଓ କାହା ପାଖରେ ଥିଲା ସେ ସମ୍ପର୍କରେ ସବିଶେଷ ସୂଚନା ଦେଇ ନଥିଲେ। ହାର୍ଦ୍ଦିକକୁ ଶାରୀରିକ ଅବା ମାନସିକ ନିର୍ଯାତନା ଦିଆ ଯାଇ ନଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିବା ଏବଂ ଅପହରଣ ଓ ଅପହର୍ତ୍ତାଙ୍କ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe