ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା!, ପ୍ରେମିକ ନାଁରେ ଏତଲା, ଥାନାରେ ଅଟକ

Advertisment
ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା!, ପ୍ରେମିକ ନାଁରେ ଏତଲା, ଥାନାରେ ଅଟକ

ପଟ୍ଟାମୁଣ୍ଡାଇ/ଦାଣ୍ଡିସାହି : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଦଳିବଣ ଗ୍ରାମର ଅଙ୍ଗନବାଡି କର୍ମୀ ସଂଯୁକ୍ତା ବେହେରା(୪୨)ଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଏକ ବାଉଁଶ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଆଣ୍ଠୁ ବି ତଳେ ଲାଗିଛି। ସଂଯୁକ୍ତାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

ମୃତା ସଂଯୁକ୍ତା କଦଳିବଣର ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିଲେ। ସେ ଅବିବାହିତ ଥିଲେ ଓ ପଟ୍ଟାମୁଣ୍ଡାଇ ଅଙ୍ଗନବାଡି ସଂଘର ସଭାପତି ଥିଲେ। ସଂଯୁକ୍ତାଙ୍କ ଭଉଣୀ ମଞ୍ଜୁଲତା ପଟ୍ଟାମୁଣ୍ଡାଇ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, କେଶପୁର ପଞ୍ଚାୟତ ବଳସାହି ଗ୍ରାମର ସଂଜୀବ୍‌ କୁମାର ରାଉତଙ୍କ ସହ ସଂଯୁକ୍ତାଙ୍କ ପ୍ରେମ ସମ୍ପର୍କ ଥିଲା। କୌଣସି କାରଣରୁ ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସକାଳୁ ସଂଯୁକ୍ତା ଘରେ ନ ଥିବା ଦେଖି ସମସ୍ତେ ଖୋଜାଖୋଜି କରିଥିଲେ। ଏହି ସମୟରେ ବାଡ଼ି ପଛ ପଟ ବାଉଁଶ ବୁଦାରେ ସଂଯୁକ୍ତାଙ୍କ ମୃତଦେହ ଝୁଲୁଥିବାର ଦେଖାଯାଇଥିଲା। ସଂଜୀବ ହିଁ ତାଙ୍କ ଭଉଣୀଙ୍କୁ ହତ୍ୟା କରିଛି ବୋଲି ମଞ୍ଜୁଲତା ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ଏସଡିପିଓ ଉମାଶଙ୍କର ମହାରଣା ଓ ଆଇଆଇସି ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe