୯୦ ଦଶକରୁ ବନ୍ଦ ପଡ଼ିଛି ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ; ଖୋଲିବାର ନିଶ୍ଚିତତା ନାହିଁ

Advertisment
୯୦ ଦଶକରୁ ବନ୍ଦ ପଡ଼ିଛି ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ; ଖୋଲିବାର ନିଶ୍ଚିତତା ନାହିଁ

Sambad

ଗାରୋଇ: ସରକାର ଜନସାଧାରଣଙ୍କ ଆର୍ଥିକ ମାନଦଣ୍ତର ଉନ୍ନତି ସହ ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଏଥିରେ ରାଜ୍ୟ ରାଜକୋଷରୁ ସ୍ବତନ୍ତ୍ର ବ୍ୟୟବରାଦ ବି କରାଯାଉଛି। କୃଷିକ୍ଷେତ୍ର ସହ ଜଙ୍ଗଲ ସମ୍ପଦ ଭଳି ମୃତ୍ତିକାକୁ ସଂରକ୍ଷଣ ଦେବା ପାଇଁ ଖୋଲାଯାଇଛି ମୃତ୍ତିକା ସରକ୍ଷଂଣ ବିଭାଗ। ବର୍ତ୍ତମାନର ସରକାର ଏହି ବିଭାଗର ଗୁରୁତ୍ବ ବଢ଼ା‌ଇ ମୋ ସରକାର ଯୋଜନାରେ ସାମିଲ କରିଛନ୍ତି। ହେଲେ, ନାଉଗାଁ ବ୍ଲକ୍‌ର ତିରୁଣାରେ ଦୀର୍ଘ ତିନିଦଶନ୍ଧିରୁ ବନ୍ଦ ପଡ଼ିଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ କେବେ ଖୋଲିବ ତାକୁ ନେଇ କାହାରିକୁ କିଛି ଜଣା ନଥିବା ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇଛି।

ଉଲ୍ଲେଖଯୋଗ୍ୟ, ୯୦ ଦଶକରେ ରାଜ୍ୟ ସରକାରଙ୍କ ପକ୍ଷରୁ ନାଉଗାଁ ବ୍ଲକ ତିରୁଣା ପଂଚାୟତର ୧୯ ନମ୍ବର ଓାର୍ଡ୍‌ ବେଲକନ୍ଦା ଗ୍ରାମରେ ୫ ବଖରା ପକ୍କାଘର ନିର୍ମାଣ ସହ ଏଠାରେ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇଥିଲା। ଅଂଚଳବାସୀଙ୍କ କହିବା ଅନୁଯାୟୀ, ବିଭାଗ ପ୍ରଥମ ପର୍ଯ୍ୟାୟରେ ପଂଚାୟତର ବଡ଼ଦଣ୍ତାଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲା। ପାଖାପାଖି ୧୦ ଏକର ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଗ୍ରାମ୍ୟ ଜଙ୍ଗଲରେ ଝାଉଁ, ନିମ୍ବ, କରଞ୍ଜ, ୟୁକାଲିପଟାସ, ଦେବଦାରୁ ଓ କୃଷ୍ଣଚୂଡା ଭଳି ଅନେକ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ଚାଷଜମିକୁ ଜଳସେଚନ କରିବା ନିମନ୍ତେ ଅରିଉଦା ଗ୍ରାମ ନିକଟରେ ତିରୁଣା ଓ ଜାମୁଗାଁ ଆଦି ପଂଚାୟତର ଚାଷଜମିକୁ ଜଳସେଚନ କରିବା ଲକ୍ଷ୍ୟ ନେଇ ଚେକ୍‌ଡ୍ୟାମ ନିର୍ମାଣ କରାଯାଇଥିଲା। ଅଂଚଳର ଅନେକ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଔଷଧୀୟ ଚାରାବଣ୍ଟନ ସହ କୁକୁଡ଼ା ପାଳନ ପାଇଁ କାର୍ଯ୍ୟାଳୟ ଆର୍ଥିକ ପ୍ରୋତ୍ସାହନ ଯୋଗାଉଥିଲା।

ନିଯୁକ୍ତି ପାଉଥିବା ଅଧିକାରୀ ଏ ସବୁର ତତ୍ତ୍ବାବଧାରକ ଥିଲେ। କିନ୍ତୁ, ମାତ୍ର ୬ ରୁ ୭ବର୍ଷ କାର୍ଯ୍ୟ କରି ୧୯୯୬-୯୭ ମସିହାରେ ବିଭାଗ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। ନିଯୁକ୍ତି ପାଇଥିବା ରେଂଜର୍‌ ଓ ଅନ୍ୟ କର୍ମଚାରୀମାନେ ଅନ୍ୟତ୍ର ଚାଲି ଯାଇଥିଲେ। ଫଳରେ ସେହିଦିନଠାରୁ କାର୍ଯ୍ୟାଳୟ ଏବଂ ବିଭାଗର କାର୍ଯ୍ୟ ଏଠାରେ ବନ୍ଦ ହୋଇଯାଇଛି। ନିମାର୍ଣ ହୋଇଥିବା ସରକାରୀ ଗୃହକୁ କୋରାପୁଟ ଜିଲ୍ଲାର ଏକ ଅନୁସୂଚିତ ଜନଜାତିର ପରିବାର ବ୍ୟବହାର କରୁଛନ୍ତି। ଖାଲି ସେତିକି ନୁହେଁ, ବିଭାଗ ପକ୍ଷରୁ କରାଯାଇଥିବା ୧୦ ଏକର ପରିମିତ ଗ୍ରାମ୍ୟ ଜଙ୍ଗଲରେ ଆଉ ଗଛ ନାହିଁ। ଅନ୍ୟ ପଟରେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏଠାରେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟର ନିମାର୍ଣ କାର୍ଯ୍ୟ। ଅଂଚଳବାସୀଙ୍କ କହିବା ଅନୁଯାୟୀ, ମୃତ୍ତିକା ସରଂକ୍ଷଣ ବିଭାଗର ୧୦ ଏକର ଜାଗା ଆଦର୍ଶ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି କି’ ନା, ତାହା ଜଣା ନାହିଁ। ଯଦି ଉକ୍ତ ଜମି ହସ୍ତାନ୍ତର କରାଯାଇଛି, ତେବେ ଏଠାରେ କୃଷି ବିଭାଗର କାର୍ଯ୍ୟକ୍ରମ ଚାଲିବ କି’ ନାହିଁ ତାହା ପ୍ରଶ୍ନ ଭାବରେ ଉଭା ହୋଇଛି। ଅନ୍ୟପଟରେ ଏଠାରେ ରହୁଥିବା କୋରାପୁଟ ଜିଲ୍ଲାର ଉକ୍ତ ଜନଜାତି ପରିବାରକୁ ବସୁନ୍ଧରା ଯୋଜନାରେ କେତେ ପରିମାଣରେ ଜମି ଯୋଗାଇ ଦିଆଯାଇଛି ସେ ସମ୍ପର୍କରେ ରାଜସ୍ବ ବିଭାଗ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ।

ଏ ସମ୍ପର୍କରେ ନାଉଗାଁ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରୁ ଆଦର୍ଶ ବିଦ୍ୟାଳୟର ଜାଗା ସହିତ ମୃତ୍ତିକା ସରଂକ୍ଷଣ ବିଭାଗ ଜାଗାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ଜିଲ୍ଲା ମୃତ୍ତିକା ସରଂକ୍ଷଣ ବିଭାଗ ଅଧିକାରୀ ଦୟାନିଧି ବାଗଙ୍କୁ ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ପଚାରିବାରୁ, ‘ନାଉଗାଁ ବ୍ଲକ ପାଇଁ ବର୍ତମାନ କୌଣସି ପ୍ରୋଜେକ୍ଟ ଆସି ନାହିଁ। ଆସିଲେ ପଦକ୍ଷେପ ନିଆଯିବ’ ବୋଲି କହିଛନ୍ତି। ତେବେ, ନାଉଗାଁ ବ୍ଲକ୍‌ରେ ତାଙ୍କ ବିଭାଗର କାର୍ଯ୍ୟାଳୟ ଅଛି କି ନାହିଁ ସେ ସମ୍ପର୍କରେ ଜାଣି ନଥିବା ଶ୍ରୀ ବାଗ କହିଛନ୍ତି। ଏହି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ତିରୁଣା ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ୍ଲ ଲେଙ୍କା, ପ୍ରଦୀପ୍ତ ସ୍ବାଇଁ, ବରିଷ୍ଠ କଂଗ୍ରେସ ନେତା ବିଜୟ ବେହେରା, କାର୍ତ୍ତିକ ଚନ୍ଦ୍ର ମୁଦୁଲି ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe