ତେଜୁଛି ଖରସ୍ରୋତା ଜଳବିବାଦ, ପାଣି ନଛାଡିବା ଜିଦରେ ଅଟଳ ସଂଗ୍ରାମ ସମିତିର ମାନବଶୃଙ୍ଖଳ

ତେଜୁଛି ଖରସ୍ରୋତା ଜଳବିବାଦ,  ପାଣି ନଛାଡିବା ଜିଦରେ ଅଟଳ ସଂଗ୍ରାମ ସମିତିର ମାନବଶୃଙ୍ଖଳ

ଆଳି: ମେଗା ପାନୀୟ ଜଳ ଯୋଜନାରେ ଭଦ୍ରକ ଜିଲ୍ଲାକୁ ବୁନ୍ଦାଏ ବି ପାଣି ନଛାଡିବାର ଡାକରା ଦେଇ ଏକମାସ ହେଲା ଆନ୍ଦୋଳନ ଚଳାଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ଆଜି ଆଳିର ଗଡଗଡି ସେତୁ ଆରମ୍ଭରୁ କନିକାର ଅଚ୍ୟୁତପୁର ଯାଏ ଏକ ବିଶାଳ ମାନବଶୃଙ୍ଖଳରେ ସମିତି ପ୍ରକଳ୍ପ ବିରୋଧି ଶକ୍ତି ପ୍ରଦର୍ଶନ କରିବା ସହିତ କୌଣସି ପରିସ୍ଥିତିରେ ମଧ୍ୟ ପାଣି ନଛାଡିବାର ସଂକଳ୍ପକୁ ଜୋରଦାର କରିଛି।

ତେବେ ସମିତିର ଏହି ପ୍ରକଳ୍ପ ବିରୋଧି ଅଭିଯାନକୁ ବିରୋଧ କରି ପ୍ରକଳ୍ପ ସପକ୍ଷରେ ସ୍ବର ଉଠାଇଛି ବିଜେଡି । ଫଳତଃ ସମିତି ସପକ୍ଷବାଦୀ ଓ ବିପକ୍ଷବାଦୀ ଙ୍କୁ ନେଇ ଆରମ୍ଭ ହୋଇଯାଇଛି ଆରୋପ,ପ୍ରତ୍ୟାରୋପ।ସମିତି ପକ୍ଷରୁ ଆଜିର ମାନବଶୃଙ୍ଖଳ ବିଜେଡିର ଗତ ୧୧ ତାରିଖ ପ୍ରକଳ୍ପ ସପକ୍ଷବାଦୀ ସମାବେଶର ପାଲଟା ଜବାବ ବୋଲି କୁହାଯାଉଛି । ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ଦିଆନଯିବାର ଜିଦରେ ଅଟଳ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଗତ ଅକ୍ଟୋବର ୮ ତାରିଖରୁ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ ଚଳାଇଛି।ନଦୀପଠାରେ ନିରବଚ୍ଛିନ୍ନ ଭାବେ ଧାରଣା ସହିତ ଗାଁ, ଗାଁରେ ଗ୍ରାମସଭା କରୁଛି ସମିତି।

ଗତ ୧୧ ତାରିଖ ବିଜେଡି ମହିଳା ସମାବେଶରେ ବିରୋଧୀ ମାନଙ୍କୁ ଅଞ୍ଚଳର ବିକାଶ ବିରୋଧୀ,କୁଚକ୍ରୀ ଆଖ୍ୟାଦେଇ ଆଳି-କନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ସହିତ ଯେ କୌଣସି ପରିସ୍ଥିତିରେ ମଧ୍ୟ ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବ ବୋଲି କଡା ଆହ୍ବାନ ଦେଇଥିଲେ ଆଳି ବିଧାୟକ ପ୍ରତାପ ଦେବ।ଏହି ସପକ୍ଷବାଦୀ ସମାବେଶ ପରେ ସଂଗ୍ରାମ ସମିତି ପ୍ରକଳ୍ପ ବିରୋଧୀ ମାନଙ୍କୁ ଏକଜୁଟ କରିବା ପାଇଁ ଆଳି-କନିକାର ଗାଁ ମାନଙ୍କରେ ବୁଲି ଲୋକମତ ସଂଗଠିତ କରିବାରେ ଲାଗିଛି।ଆଜିର ମାନବଶୃଙ୍ଖଳରେ ଆଳି-କନିକାର ମହିଳା,ବୃଦ୍ଧ-ବୃଦ୍ଧା ସାମିଲ ହୋଇ "ଖରସ୍ରୋତାରୁ ପାଣି ଛାଡିବୁ ନାହିଁ, ଲଢିବୁ ଆମେ ରକ୍ତଦେଇ"ନାରା ଦେଇଥିଲେ। ଆଜି ମାନବଶୃଙ୍ଖଳର ସଫଳତା ପରେ ସମିତି ପକ୍ଷରୁ ଆଗାମୀ ୨୨ ତାରିଖରେ ଏକ ମହାସମାବେଶର ଆହ୍ବାନ ଦିଆଯାଇଛି।ଏହି ମହା ସମାବେଶରେ ଆଳି-କନିକାର ପ୍ରକଳ୍ପ ବିରୋଧୀ ମାନଙ୍କ ସହିତ ରାଜ୍ୟ ନଦୀ ବଞ୍ଚାଅ ଆନ୍ଦୋଳନର ନେତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଗ୍ରାମ ସମିତି ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe