ଡକାୟତଙ୍କ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଓ ପୁଅ ଗୁରୁତର: ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର

Advertisment
ଡକାୟତଙ୍କ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଓ ପୁଅ ଗୁରୁତର: ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଉତା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଦଳ ଜନୈକ ବ୍ୟବସାୟୀଙ୍କ ଘର ଭିତରେ ପଶି ନାହିଁନଥିବା କାଣ୍ଡ ଘଟାଇଛନ୍ତି। ପରିବାରର ସ୍ବାମୀ, ସ୍ତ୍ରୀଙ୍କ ସମେତ ପୁଅ ଉପରେ ଭୂଜାଲି ଓ ଲୁହାଛଡ଼ରେ ପ୍ରାଣାନ୍ତକ ଆକ୍ରମଣ କରି ଘରୁ ଟଙ୍କା, ସୁନା ଲୁଟିନେଇ ପାର୍ ହୋଇଯାଇଛନ୍ତି।ରାଉତା ଗ୍ରାମନିବାସୀ ଶତୃଘନ ଲେଙ୍କାଙ୍କ ପତ୍ନୀ ବିନିତା ଆଳି ଥାନାରେ ଆଜି ଦାଏର କରିଥିବା ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି ଯେ, ସବୁଦିନ ପରି ଗତକାଲି ରାତିରେ ସେମାନେ ଖାଇପିଇ ଶୋଇଥିଲେ। ରାତି ଗୋଟାଏ ସମୟରେ ଘରର ଆଗପଟ ଗ୍ରୀିଲରେ ପଡିଥିବା ଦୁଇଟି ତାଲା ଓ ପଛପଟ ଗ୍ରିଲର ଗୋଟିଏ ତାଲାକୁ କାଟି ଡକାୟତଦଳ ଅତର୍କିତ ଘର ଭିତରକୁ ପଶିଥିଲେ। ଏହାଦେଖି ତାଙ୍କର ବୃଦ୍ଧା ଶାଶୁ ପାଟି କରିବାରୁ ଡକାୟତମାନେ ତାଙ୍କ ପୁଅ ବିଷ୍ଣୁପ୍ରସାଦ ଶୋଇଥିବା ରୁମ୍ ଭିତରକୁ ପଶିଯାଇଥିଲେ। ପାଟିଶୁଣି ଅନ୍ୟ ରୁମରେ ଶୋଇଥିବା ବନିତା ଓ ସ୍ବାମୀ ଶତୃଘନ ଉଠିପଡ଼ିବାରୁ ଡକାୟତମାନେ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ।

ଶତୃଘନ ଓ ବନିତାଙ୍କୁ ଭୁଜାଲି, କଟୁରୀରେ ଚୋଟପରେ ଚୋଟ ମାରି ପୁଅ ବିଷ୍ଣୁପ୍ରସାଦକୁ ଲୁହାଛଡ଼ରେ ନିସ୍ତୁକ ପିଟି ରକ୍ତାକ୍ତ କରିଦେଇଥିଲେ। ପରିବାରର ୩ ସଦସ୍ୟଙ୍କ ପ୍ରଚୁର ରକ୍ତସ୍ରାବ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡକାୟତମାନେ ବନିତାଙ୍କ କାନରୁ ସୁନା କାନଫୁଲ ଓ ବାକ୍ସରେ ଥିବା ନଗଦ ୫୦ ହଜାର ଟଙ୍କା ଲୁଟିନେଇଥିଲେ। ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଘଟଣାସ୍ଥଳୀରୁ ପାର୍ ହୋଇଯାଇଥିଲେ। ପରେ ଗ୍ରାମବାସୀମାନେ ଆହତ ୩ ଜଣଙ୍କୁ ଉଦ୍ଧାର କରି ଆଳି ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଗୃହକର୍ତ୍ତା ଶତୃଘନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ଡକାୟତଦଳରେ ଥିବା ଜନୈକ ଡକାୟତକୁ ପୁଅ ବିଷ୍ଣୁପ୍ରସାଦ ଚିହ୍ନିଥିବା କହିଛି। ଏହି ଡକାୟତି ଘଟଣା ଅଞ୍ଚଳ ବ୍ୟାପି ଚହଳ ସୃଷ୍ଟି କରିଥିବା ବେଳେ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପରିବାର ସଦସ୍ୟଙ୍କ ସୂଚନା ଆଧାରରେ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe