ବୈଜୟନ୍ତ ବିରୋଧୀ ରାଜନୀତି ତେଜିଲା

Advertisment

ସାଂସଦଙ୍କୁ ଉପେକ୍ଷା କରି ପାଣିଟାଙ୍କି ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ସାଂସଦଙ୍କୁ ଉପେକ୍ଷା କରି ପାଣିଟାଙ୍କି ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବୈଜୟନ୍ତ ବିରୋଧୀ ରାଜନୀତି ତେଜିଲା

କେନ୍ଦ୍ରାପଡା/ମାର୍ଶାଘାଇ : କେନ୍ଦ୍ରାପଡ଼ାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅକଳରେ ପକାଇବା ପାଇଁ ବିଜେଡିରେ ରଣନୀତି ଆରମ୍ଭ ହୋଇଛି। ସାଂସଦ ଯାଉଥିବାରୁ କିଛିଦିନ ତଳେ ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ତାଳସଙ୍ଗାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିଲା। ଆଜି ସାଂସଦ ପାଣ୍ଠିରେ ନିର୍ମିତ ଏକ ପାଣିଟାଙ୍କିକୁ ଆଗୁଆ ଉଦ୍‌ଘାଟନ କରାଯାଇଛି। ସଂଯୋଗବଶତଃ, ଉଭୟ ସ୍ଥାନ ହେଉଛି ସାଂସଦଙ୍କ ଜଣାଶୁଣା ବିରୋଧୀ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ।

ମାର୍ଶାଘାଇ ବ୍ଲକ୍‌ର ପୁରୁଷୋତ୍ତମପୁରଠାରେ ରହିଥିବା ଏହି ପ୍ରକଳ୍ପଟି ପ୍ରଥମେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୨୪.୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହା ସ୍ଥାନୀୟ ପୁରୁଷୋତ୍ତମପୁର, ଦରବଛା (ଆଂଶିକ) ଓ ରାମିଆଁଗଞ୍ଜ ଗ୍ରାମକୁ ପାଇପ୍‌ ଲାଇନ ଯୋଗେ ପାଣି ଯୋଗାଇ ଆସୁଥିଲା । ପରେ ଏହି ପୁରୁଣା ପ୍ରକଳ୍ପ ଉପରେ ସାଂସଦଙ୍କ ପାଣ୍ଠିରେ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ସାଂସଦ ଶ୍ରୀ ପଣ୍ଡା ଏହି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ସହିତ ସମୟଭିତ୍ତିକ ପରିସମାପ୍ତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କାର୍ଯ୍ୟ ଚାଲିଥିଲା ଏବଂ ଗତକାଲି ରାତିରେ ଏହାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଶେଷ କରାଯାଇଥିଲା। ପାଣିଟାଙ୍କିର ଓଭର୍‌ହେଡ୍‌ରେ ସାଂସଦଙ୍କ ପାଣ୍ଠିରେ ନିର୍ମିତ କରାଯାଇଥିବା ବଡ଼ବଡ଼ ଅକ୍ଷର ଲେଖା ବି ଯାଇଛି।

publive-imageମିଳିଥିବା ସୂଚନା ଅନୁସାରେ, କିଛିଦିନ ମଧ୍ୟରେ ସାଂସଦ ଶ୍ରୀ ପଣ୍ଡା ଏହାକୁ ଉଦ୍‌ଘାଟନ କରିଥା’ନ୍ତେ। ମାତ୍ର, ଆଜି ହଠାତ୍‌ ମାର୍ଶାଘାଇ ବ୍ଲକ୍‌ ଅଧ୍ୟକ୍ଷା ସୀତାଲତା ପରିଡ଼ା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ଜାକଜକମରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୋଟରସାଇକଲ୍‌ ଶୋଭାଯାତ୍ରା ସହିତ ବାଜାବାଣ ସହିତ ଶତାଧିକ ବିଜେଡି କର୍ମୀ ଏଥିରେ ସାମିଲ୍‌ ହୋଇଥିଲେ। ଉଦ୍‌ଘାଟନୀ ଫଳକରେ ଅଧ୍ୟକ୍ଷା ଶ୍ରୀମତୀ ପରିଡ଼ାଙ୍କ ସହିତ ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଗାହାଣ, ମାର୍ଶାଘାଇ ସରପଂଚ ସରିତା ପ୍ରଧାନ, ସମିତି ସଭ୍ୟ ନିଗମାନନ୍ଦ ରଥଙ୍କ ନାମ ରହିଛି। ତେବେ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା।
ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ସରଗରମ ହୋଇଉଠିଛି। କିଛିଦିନ ତଳେ ସାଂସଦ ଶ୍ରୀ ପଣ୍ଡା ପଟ୍ଟାମୁଣ୍ଡାଇଠାରେ ଏକ ପାଣିଟାଙ୍କି ଉଦ୍‌ଘାଟନ କରିଥିଲେ। ତେବେ ଏଠାରେ ଅନୁରୂପ କାର୍ଯ୍ୟକ୍ରମ କରାଇ ନଦେବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଆଲୋଚନା ହେଉଛି।

ତେବେ, ଏହି ଅଭିଯୋଗକୁ ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ପରିଡ଼ା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଖରାଦିନ ଆସିଲାଣି। ଲୋକମାନଙ୍କ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଉଦ୍‌ଘାଟନ କରାଯାଇଛି। ବିଜେଡି ସରକାର ଯୋଗୁଁ ଏହି ଟାଙ୍କି ନିର୍ମିତ ହୋଇଥିବାରୁ ନିଳମ୍ବିତ ସାଂସଦଙ୍କୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କିଛି ନେତା କହିଥିଲେ। ତେବେ ସାଂସଦଙ୍କ ସମର୍ଥକ ତଥା ପୂର୍ବତନ ସଂଖ୍ୟାଲଘୁ ସେଲ ସଭାପତି ଏମ୍‌ଡି ସଲିମ୍‌ ଖାଁ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ ଏଥିପାଇଁ ତୃତୀୟ ମହଲାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଅନ୍ୟର କାମରେ ଶ୍ରେୟ ନେବା ପାଇଁ ଜୋରଜବରଦସ୍ତ ଚେଷ୍ଟା କରାଯାଉଛି । ସାଂସଦ ପାଣ୍ଠି ଖର୍ଚ୍ଚ କରାଯିବା ନିୟମାବଳୀ ଅନୁସାରେ ଜିଲ୍ଲା ପ୍ରଶାସନ ଏଭଳି କାର୍ଯ୍ୟ ପାଇଁ ସଜାଗ ରହିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe