ରାଜକନିକାରେ ଦୁର୍ଗାପୂଜା କଟକଣା: ପୂଜାରେ ମାଇକ୍‌, ବାଜା ବାଜିବନି

Advertisment
ରାଜକନିକାରେ ଦୁର୍ଗାପୂଜା କଟକଣା: ପୂଜାରେ ମାଇକ୍‌, ବାଜା ବାଜିବନି

Sambad

ରାଜକନିକା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପାର୍ବଣରେ ମା’ ଦୁର୍ଗାଙ୍କ ପୂଜା କୋଭିଡ୍ ନୀତି ନିୟମ ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ବିଭିନ୍ନ ପୀଠରେ ଏହି ଆଧାରରେ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ଆଜି ରାଜକନିକାର ମା’ କନିକେଶ୍ବରୀ ଦୁର୍ଗାଙ୍କ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଚଳିତବର୍ଷ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆଜି ରାଜକନିକା ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆହୁତ ଏକ ସ୍ବତନ୍ତ୍ର ବୈଠକରେ କମିଟିର ଉପଦେଷ୍ଟାମଣ୍ତଳୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସଭାପତି ପ୍ରାଧ୍ୟାପକ ବୈକୁଣ୍ଠନାଥ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜକନିକା ବିଡିଓ ବିକ୍ରମ କିଶୋର ପରିଡ଼ା, କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିବେକାନନ୍ଦ ରାଉତ, ବ୍ଲକ ସହକାରୀ ନିର୍ବ‌ାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଦାଶ ଯୋଗଦେଇ କୋଭିଡ୍ ନୀତି ନିୟମକୁ ଦୃଷ୍ଟିରେ ରଖି ପୂଜାରେ ଭକ୍ତମାନଙ୍କ ଭିଡ଼ ନ କରି ବ୍ୟାରିକେଡ୍ ମାଧ୍ୟମରେ ସାମାଜିକ ଦୂରତା ରକ୍ଷା କରି ମା’ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବା ସହ ସାନିଟାଇଜେସନ୍, ମାସ୍କ ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ପ୍ରଶାସନିକ ଅଧିକାରୀମାନେ ମତ ଦେଇଥିଲେ।

ଆସନ୍ତା ୧୭ତାରିଖରୁ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବାକୁ ଥିବାବେଳେ ପୂଜା ସମୟରେ ପୀଠରେ ୭ରୁ ଅଧିକ ଲୋକ ନ ରହିବା ପାଇଁ ପରାମର୍ଶ ଦେବା ସହ ଲାଇଟ୍, ମାଇକ୍, ବାଦ୍ୟଯନ୍ତ୍ର ଆଦି ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପାଦକ କପିଳେନ୍ଦ୍ର ମଲ୍ଲିକ ମା’ଙ୍କ ପୀଠରେ ନବରାତ୍ର ପୂଜା ସହ ଅନ୍ୟାନ୍ୟ ପୂଜାବିଧି ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ।

ବ୍ଲକ୍ ପ୍ରଶାସନ ତରଫରୁ ପାନୀୟଜଳ ଓ ମା’ଙ୍କ ପୀଠକୁ ସାନିଟାଇଜ୍‌ କରାଯିବା ପାଇଁ ବିଡିଓ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବେଣୁଧର ପରିଡ଼ା, ଉପ-ସଭାପତି ମନୋଜ ସେନାପତି, କୋଷାଧ୍ୟକ୍ଷ ବସନ୍ତ ବିଶ୍ବାଳ, ବରିଷ୍ଠ ସଭ୍ୟ ରଙ୍ଗାଧର ବେହୁରା, ପ୍ରାଣବନ୍ଧୁ ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ସହ-ସମ୍ପାଦକ ବ୍ରଜକିଶୋର ସିଂହ ଧନ୍ୟବାଦ ଦେଇଥିଲେ। ଧର୍ମଜ୍ୟୋତି ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe