ଆଳି: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ମଣିଷ ଭଳି ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପଶୁପକ୍ଷୀ।ଏମିତି ସମୟରେ ତୃଷାର୍ତ୍ତ ପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଦେବଦୂତ ସାଜିଛନ୍ତି ସମାଜସେବୀ ତଥା ପ୍ରାଣୀପ୍ରେମୀ ଯୁବକ ରଶ୍ମିରଞ୍ଜନ।
ଆଳି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଭାବେ କାର୍ଯ୍ୟରତ ରଶ୍ମିରଞ୍ଜନ ପ୍ରତିଦିନ ସକାଳୁ କେନ୍ଦ୍ରାପଡ଼ାରୁ ଆଳି ୩୫ କି.ମି ରାସ୍ତା ଅତିକ୍ରମ କରି ଯାତାୟାତ କରନ୍ତି।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ପୋଖରୀ,ଗାଡିଆ ଶୁଖି ଯାଇଥିବାରୁ ପିଇବା ପାଣି ଟୋପାଏ ପାଇଁ ପକ୍ଷୀ ମାନଙ୍କର ଡହଳବିକଳ ଦେଖି ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ମନସ୍ଥ କରିଥିଲେ। ନିଜର ପରିକଳ୍ପନା ଅନୁସାରେ ରଶ୍ମିରଞ୍ଜନ ନିଜସ୍ୱ ଅର୍ଥରେ ଛୋଟଛୋଟ ମାଟିହାଣ୍ଡି ଓ ଶିକା କିଣି କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବ ବିଭିନ୍ନ ଗଛରେ ପାଣି ଭର୍ତ୍ତିକରି ଲଟକାଇଛନ୍ତି। ଏଭଳି ୧ ହଜାର ମାଟିହାଣ୍ଡିରେ ପକ୍ଷୀଙ୍କ ପାଇଁ ଜଳବ୍ୟବସ୍ଥା କରିବେ ଓ ପ୍ରତିଦିନ ସେଥିରେ ପାଣିଭର୍ତ୍ତି କରିବେ ବୋଲି ରଶ୍ମିରଞ୍ଜନ ପ୍ରକାଶ କରିଛନ୍ତି।ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ରଶ୍ମିରଞ୍ଜନ କଟକ-ଚାନ୍ଦବାଲି ରାସ୍ତା ଉପରୁ ମୃତ ପଶୁ ଉଠାଇବା, ନିୟମିତ ରକ୍ତଦାନ, ଅଙ୍ଗଦାନ ଆଦି କାର୍ଯ୍ୟକ୍ରମ କରି ସାଧାରଣରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ମଣିଷ ପଶୁପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ନିମନ୍ତେ ରଶ୍ମିରଞ୍ଜନ ନିବେଦନ କରିଛନ୍ତି।
Follow Us