ଦିଅର-ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆକ୍ରମଣରେ ଜଣେ ଗୁରୁତର, ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଦିଅର-ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳଚମ୍ପେଇ ପଞ୍ଚାୟତ ସିରିସଖୁଣ୍ଟା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଡବଲ ମର୍ଡର। ସଂପର୍କୀୟ ଦିଅର-ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ ଗାଁ’ର ଜଣେ ମାତାଲ ଯୁବକ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ସବୁଦିନ ଭଳି ଗତକାଲି ରାତିରେ ସିରିସଖୁଣ୍ଟା ଗ୍ରାମର ବୀର ଦେହୁରୀ (୬୦) ଏବଂ ତାଙ୍କ ସଂପର୍କୀୟ ଭାଉଜ ଜାଇ ଦେହୁରୀ (୭୦) ନିଜ ନିଜ ଘରେ ଶୋଇଥିଲେ। ଗତ ଦୁଇ ଦିନ ହେଲା ସିରିସଖୁଣ୍ଟା ଗାଁ’ର ବନ୍ଧୁ ଘରକୁ ଆସିଥିବା ଭାଲିଆଡାଳ ଗ୍ରାମର ପଠାଣୀ ପ୍ରଧାନ (୪୫) ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଜାଇଙ୍କ ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରେ ଅଭିଯୁକ୍ତ ପଠାଣୀ ଝରକା ବାଟେ ବୀରଙ୍କ ଘରେ ପଶି ତାଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏତିକିରେ ପଠାଣୀର କାରନାମା ସରିନଥିଲା। ପଡୋଶୀ ମହେଶ୍ୱର ପ୍ରଧାନ (୭୦)ଙ୍କ ଘରେ ପଶି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ମହେଶ୍ୱରଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠି ପଡ଼ିବାରୁ ଅଭିଯୁକ୍ତ ପଠାଣୀ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହିତ ଗୁରୁତର ଆହତ ମହେଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ମହେଶ୍ୱରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହତ୍ୟାକାଣ୍ଡ ଭିଆଇ ଜଙ୍ଗଲରେ ଲୁଚିଥିବା ଅଭିଯୁକ୍ତ ପଠାଣୀକୁ ଆଜି ସକାଳେ ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe